ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁଜିୟୁପି ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ମଳୟ ସିଂଙ୍କର ଗୋଡ଼ରେ ବେଡ଼ି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ। ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇ ଅମାନବୀୟ କାମ କରିଥିବା ଦୁଇ ଜଣ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି। ନିଲମ୍ୱିତ ଶିକ୍ଷା ୨ ଜଣ ହେଉଛନ୍ତି ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଗୁନାଥ ବୁଗୁଡ଼ାଇ ଓ ସହକାରୀ ଶିକ୍ଷକ ଯତୀନ ପରିଡ଼ା। କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କୁ ନିଲମ୍ବନ କରିଛନ୍ତି ଡିଇଓ।
ସୂଚନା ମୁତାବିକ, ବେଗୁନିଆ ୟୁଜିୟୁପି ବିଦ୍ୟାଳୟରେ ୪୦ସିଟ ଥାଇ ଏକ ହଷ୍ଟେଲରେ ଆଖପାଖ ଅଂଚଳର ପିଲା ପାଠପଢନ୍ତି। ଉକ୍ତ ହଷ୍ଟେଲରେ ନିକଟବର୍ତ୍ତୀ କମ୍ଭାରଖଲିଆ ଗ୍ରାମର ମଳୟ ସିଂ ନାମକ ଚତୁର୍ଥ ଶ୍ରେଣୀର ଛାତ୍ର ଏକ ଲୁହା ଜଞ୍ଜିରରେ ବନ୍ଧାହୋଇଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣା ଜାଣିବା ପରେ ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲାମଙ୍ଗଳ ଅଧିକାରୀ ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତକରି ଏଭଳି କାର୍ଯ୍ୟ ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।
ଘଟଣାର ତଦନ୍ତ ଏବଂ ରିପୋର୍ଟ ଦାଖଲ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ସତ୍ୟ ନାରାୟଣ ଭୂୟାଙ୍କୁ ନେଇ ଏକ ଯାଞ୍ଚ କମିଟି ଗଠନ କରାଯାଇଥିଲା। ଏହି କମିଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ତଦନ୍ତ ଆଧାରରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି।
ଘଟଣା ମୁତାବିକ, ଛାତ୍ର ଜଣକ ବାରମ୍ବାର ହଷ୍ଟେଲରୁ ଲୁଚି ଘରକୁ ପଳାଇ ଯାଉଥିବାରୁ ତାକୁ ବାନ୍ଧି ଦେଇଥିବା ହଷ୍ଟେଲ ଭାଇ ସମ୍ବୋଧନ କରୁଥିବା ବାଳକ ଜଣକ ଭିଡିଓରେ କହୁଥିବା ଜଣାଯାଇଛି। ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଘୋଷଣା କରିଥିବା ବେଳେ ଦୀର୍ଘ ୧୦ଦିନ ଧରି ଛାତ୍ରଜଣକୁ ବେଡ଼ି ପକାଇ ରଖିବା ମାନବୀୟ ଉଲ୍ଲଂଘନ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଅନ୍ୟପଟେ ଛାତ୍ରର ବାପା ପିଲାର ଏପରି ଦୁଷ୍ଟାମି ପାଇଁ ବାନ୍ଧି ରଖିବାକୁ କହିଥିବା ହଷ୍ଟେଲ ଚାର୍ଜରେ ଥିବା ଶିକ୍ଷକ କହୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଛାତ୍ରଙ୍କ ବାପାଙ୍କୁ ପୋଲିସର ପଚରା ଉଚରା ଜାରି ରହିଛି।
ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ବନ ଅଧିକାରୀ; ଗଛ କାଟିବା ପାଇଁ ଜମି ମାଲିକଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ