ସମ୍ବଲପୁର: ଚାରା ରୋପଣ ନାଁରେ ଚୋରି । ହରିଲୁଟ୍ ହୋଇଛି କୋଟି କୋଟି ଟଙ୍କା । ସମ୍ବଲପୁର ଜିଲ୍ଲା କେଶାପାଲି ଗ୍ରାମରେ ଚାରା ରୋପଣ ନାମରେ ଏକ ବଡ଼ ଧରଣର ମହା ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି l ବିନା ଚାରାରେ ବନ ବିଭାଗ କର୍ମଚାରୀ ମିଥ୍ୟା ବିଲ ମାଧ୍ୟମରେ କୋଟି କୋଟି ଟଙ୍କାର ହଡପ କରିଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଏମିତି ବୁଢ଼ା ବୁଢ଼ୀ ଏବଂ ଦିବ୍ୟାଙ୍ଗଙ୍କ ନାଁରେ ମନରେଗା ମାଧ୍ୟମରେ ଜବ୍ କାର୍ଡ କରାଇ ଆତ୍ମସାତ ହୋଇଛି ସରକାରୀ ଅର୍ଥ । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ସମ୍ବଲପୁର ବନଖଣ୍ଡ ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ଯୁଯୁମୁରା ବ୍ଲକ କେଶାପାଲି ଗାଁ ଚାରା ରୋପଣ ଦୁର୍ନୀତିରେ କେନ୍ଦ୍ର ବିନ୍ଦୁ ପାଲଟିଛି । ଏବେ ପୁଣି ଚାରା ରୋପଣରେ ମହା ଦୁର୍ନୀତି ହୋଇଥିବା ଆସିଛି ଅଭିଯୋଗ । ବିନା କାର୍ଯ୍ୟ କରି କୋଟି କୋଟି ଟଙ୍କା ହଡପ ଘଟଣାର ପୁନରାବୃତ୍ତି ଘଟିଛି l ଗ୍ରାମର ନୀରିହ ଲୋକମାନେ ହେଲେ ବନ ବିଭାଗ କର୍ମଚାରୀଙ୍କ ମାଧ୍ୟମ । ଏମାନଙ୍କ କାନ୍ଧରେ ବନ୍ଧୁକ ରଖି ଚାଲିଥିଲା ଦୁର୍ନୀତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ବୃଦ୍ଧା ଏବଂ ଦିବ୍ୟାଙ୍ଗ । ସରକାରୀ ନିୟମ ଅନୁଯାଇ ୬୦ ବର୍ଷରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ନାଁରେ ମନେରେଗା କାର୍ଯ୍ୟ ପାଇଁ ଜବ୍ କାର୍ଡ ହେବା କଥା ନୁହେଁ l ଏଠି କିନ୍ତୁ ସମସ୍ତଙ୍କ ଜବ୍ କାର୍ଡ କରାଯାଇ ଚାରା ରୋପଣ ନ କରି କୋଟି କୋଟି ଟଙ୍କା ହଡପ କରାଯାଇଛି l
କେଶାପାଲି ରେ ଅଧିକାଂଶ ଲୋକ ଗରିବ ଶ୍ରେଣୀର ଅଟନ୍ତି । ୨୦୨୨-୨୩ ବର୍ଷରେ ଦଲାଲ ମାଧ୍ୟମରେ ବନ କର୍ମଚାରୀମାନେ ମନରେଗା ଚାରା ରୋପଣ ଯୋଜନା ପାଇଁ ଲୋକଙ୍କ ଠାରୁ ଜବ୍ କାର୍ଡ ନେଇ ବିନା କାର୍ଯ୍ୟ କରି କୋଟି କୋଟି ଟଙ୍କା ଆତ୍ମସାତ କରିଛନ୍ତି l ଏହା ପରେ କାହା ଆକାଉଣ୍ଟକୁ ୧୦୦ ଟଙ୍କା ତ ଆଉ କାହାକୁ 200 ଟଙ୍କା ଦେଇ କାର୍ଡ ପିଛା ହଜାର ହଜାର ଟଙ୍କା ହଡପ କରିଛନ୍ତି l
ଏଠି ପ୍ରଶ୍ନ ଉଠୁଛି ବୃଦ୍ଧ ବୃଦ୍ଧା ମାନେ ଓ ଦିବ୍ୟାଙ୍ଗମାନେ ମନେରେଗାରେ ଚାରା ରୋପଣ କିପରି କଲେ ? ଏମାନଙ୍କ ଜବକାର୍ଡ ତିଆରି କିପରି ହେଲା ? ବର୍ତ୍ତମାନ ବନ ବିଭାଗର ଚାରା ରୋପଣ ଦୁର୍ନୀତି ଘଟଣା ଲୋକଲୋଚନକୁ ଆସିବା ପରେ ଲୋକଙ୍କ ମନରେ ଏହି ସବୁ ପ୍ରଶ୍ନ ଉଙ୍କି ମାରୁଛି l
ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରି ଚାରା ରୋପଣ ଦୁର୍ନୀତି ଘଟଣା ଜଣା ପଡିବା ପରେ କେଶାପାଲି ଗ୍ରାମବାସୀ ସମ୍ବଲପୁର ବନଖଣ୍ଡ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି l ଅନ୍ୟପକ୍ଷରେ ଅଭିଯୋଗ ପାଇବା ପରେ ବନଖଣ୍ଡ ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।