ଭୁବନେଶ୍ୱର : ଅନଲାଇନ ଗେମ୍ ନେଲା ଜୀବନ। ମୋବାଇଲରେ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଶେଷରେ ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ମୃତ ଯୁବକଙ୍କୁ ୨୨ବର୍ଷ ବୟସ ହୋଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ ଯୁବକ ଜଣକ ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ନିଜ ଘରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ବୟାନ ଯେ ଯୁବକ ଜଣଙ୍କ ଅନଲାଇନ୍ ଗେମ୍ ରେ ଟଙ୍କା ଲଗାଇଥିଲେ। ଏହି ଟଙ୍କା ବୁଡ଼ି ଯିବା ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ତେଣୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କ ଏକୁଟିଆ ରହୁଥିଲେ। ପରିବାର ଲୋକଙ୍କ ସହ ବିଶେଷ ଭାବରେ କଥା ହେଉ ନଥିଲେ କି ମିଳାମିଶା କରୁନଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଏହି ଘଟଣାରେ ପୁଲିସ ଯୁବକଙ୍କ ମୋବାଇଲକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଯୁବକ ଜଣଙ୍କ ଅନେକ ଲୋକଙ୍କ ପାଖରୁ ଟଙ୍କା ଧାର ଆଣିଥିବା ଜଣାପଡିଛି।