ଭାରତର ପରାଜୟ ସହିନପାରି ଦୁଃଖରେ ଜୀବନ ହାରିଛନ୍ତି ଯୁବକ । ସୂଚନା ଅନୁସାରେ , ଗତକାଲି ବିଶ୍ୱକପ୍ କ୍ରିକେଟରେ ଭାରତର ପରାଜୟ ହୋଇଛି । ଏହି କଥାକୁ କ୍ରିକେଟପ୍ରେମୀମାନେ ସହଜରେ ଗ୍ରହଣ କରିପାରିନାହାନ୍ତି ।
କେହି କେହି ଦୁଃଖରେ ଭାଙ୍ଗିପଡିଛନ୍ତି ତ ଆଉ କିଏ କାହାକୁ ସାନ୍ତ୍ୱନା ଦେବାରେ ଲାଗିଛନ୍ତି । କିନ୍ତୁ ଆଜି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୁଳ ସାହି ଗାଁରେ ଘଟିଛି । ଏହି ଗ୍ରାମର ଜଣେ ଯୁବକ କ୍ରିକେଟ ପାଇଁ ନିଜ ଜୀବନ ହାରିଛନ୍ତି । ମୃତକ ଜଣକ ହେଲେ ନୀଳମଣି ଦାସଙ୍କ ସାନ ପୁଅ ଦେବରଞ୍ଜନ ଦାସ । ଆଜି ସକାଳେ ଦେବରଞ୍ଜନଙ୍କ ମୃତଦେହ ପାଖ ପଡୋଶୀଙ୍କ ଛାତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏନେଇ ପରିବାରଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛି । ପରିବାରଲୋକଙ୍କ କହିବା ଅନୁଯାୟୀ , ଦେବରଞ୍ଜନ ମାନସିକ ବିକାରଗ୍ରସ୍ତ ଥିଲେ । ଗତକାଲି ଭାରତର ପରାଜୟ ସହିନପାରି ନିଜ ଜୀବନ ହାରିଛନ୍ତି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।
ଆଗକୁ ପଢନ୍ତୁ :- ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା : ମାମଲାର ତଦନ୍ତ ପାଇଁ NHRC ନୋଟିସ୍