ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିଯିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ରାତିରେ ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ ରେକର୍ଡ଼ କରାଯାଇଛି । ଅନୁଗୁଳରେ ୧୬, କେନ୍ଦୁଝରରେ ୧୭, କୋରାପୁଟ ଓ ଭବାନୀପାଟଣାରେ ୧୬.୫, ନବରଙ୍ଗପୁରରେ ୧୭, ରାୟଗଡ଼ାରେ ୧୮, ରାଉରକେଲାରେ ୧୮.୪, ବଲାଙ୍ଗୀରରେ ୧୮.୫, ଢେଙ୍କାନାଳରେ ୧୮.୯, ସୋନପୁର ଓ ନୟାଗଡ଼ରେ ୧୯.୨, ବୌଦ୍ଧରେ ୧୯.୮ ଓ ହୀରାକୁଦରେ ୧୯.୯ ଡିଗ୍ରୀ ରେକର୍ଡ ହୋଇଛି ।
ତେବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର ଏବଂ ଆସନ୍ତାକାଲି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । ଏହାପରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।