ଭୁବନେଶ୍ୱର : ଆଜି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୭ତମ ଜୟନ୍ତୀ। ବିଧାନସଭା ନିକଟ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ, ପ୍ରଭାତୀ ପରିଡ଼ା ଥିଲେ ମଧ୍ଯ ଉପସ୍ଥିତ ରହିଥିଲେ।
ଏହି ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ କରି ଲେଖିଛନ୍ତି , ' କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ଆଜି ବିଧାନସଭା ନିକଟରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି । ଲକ୍ଷ୍ମୀକାନ୍ତ ମହାପାତ୍ର କେବଳ ଜଣେ କବି ନଥିଲେ, ସେ ଥିଲେ ଓଡ଼ିଆ ଜାତୀୟତା ଓ ସାହିତ୍ୟର ଜଣେ ଯୁଗସ୍ରଷ୍ଟା । ତାଙ୍କର ସାରସ୍ୱତ ସାଧନା, ବିଶେଷ କରି ତାଙ୍କ ରଚିତ ଅମର ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ' ଆମ ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ଭାବେ ଓଡ଼ିଶାବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି।
ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ମହାନ ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଆମେ ପ୍ରତିଟି ଓଡ଼ିଆ ତାଙ୍କର କୃତିକୁ ଚିରଦିନ ମନେ ରଖିବା ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାର ଗୌରବ ବୃଦ୍ଧି ପାଇଁ ସଙ୍କଳ୍ପ ନେବା ଉଚିତ । ଏହି ଶୁଭ ଜୟନ୍ତୀରେ ମୁଁ କାନ୍ତକବିଙ୍କ ପାଦରେ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଏକାଧାରରେ କବି, ସଂଗୀତକାର, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ଓ ଶିଶୁ ସାହିତ୍ୟିକ। ସେ ଥିଲେ ଭାଷାଶିଳ୍ପୀ ଓ ସୁରଶିଳ୍ପୀ। ଜଟିଳ ବ୍ୟାଧି, ବିଷାଦ, ବ୍ୟର୍ଥତା ଓ ନିଃସଙ୍ଗତା ତାଙ୍କ ଜୀବନର ଚିରସାଥୀ ଥିଲେ ହେଁ କବିପ୍ରାଣରେ ଥିଲା ହାସ୍ୟରସର ସ୍ୱତଃସ୍ପୂର୍ତ୍ତ ଉତ୍ସ। ଆଜି ସେହି ମହାନ କବିଙ୍କର ଜୟନ୍ତୀ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମଧ୍ଯ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।