ଭୁବନେଶ୍ଵର: ଆଜି ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ। ଏଥିପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ଵର। ଚିକ୍ ମିକ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ରାଜଧାନୀ। ସରକାରୀ କୋଠା ଠାରୁ ରାସ୍ତା ଘାଟ ନବ ବଧୁ ବେଶରେ ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି। ଏପରିକି ଲୋକଭବନଠୁ ଆରମ୍ଭ କରି ବିଧାନସଭା ସବୁ ଝଲସି ଉଠୁଛି। ତେବେ ଆଜି ଏବଂ ଆସନ୍ତାକାଲି ଅର୍ଥାତ ଦୁଇ ଦିନ ଧରି ବିଭିନ୍ନ ଉତ୍ସବ, ସଂସ୍କୃତି ଓ ଗୌରବର ରଙ୍ଗରେ ରଙ୍ଗିତ ହେବ ରାଜଧାନୀ ଭୁବନେଶ୍ୱର।
ପ୍ରତିଷ୍ଠା ଦିବସ ଅବସରରେ ପିଏମଜି ଛକରେ ଅବସ୍ଥିତ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ ପୁଷ୍ପମାଲ୍ୟ ଅର୍ପଣ ସହ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଏହାପରେ ବାଚସ୍ପତିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବା ସହ ରବୀନ୍ଦ୍ର ମଣ୍ଡପରୁ ଜୟଦେବ ଭବନ ପର୍ଯ୍ୟନ୍ତ ଆକର୍ଷଣୀୟ ବେସାମରିକ ପରେଡ୍ ଆୟୋଜିତ ହୋଇଥିଲା। ଏହା ସହ ଜୟଦେବ ଭବନରେ ରାଜଧାନୀର ଐତିହ୍ୟ ଓ ଗୌରବକୁ ଉଜାଗର କରିବାକୁ ଫଟୋ ପ୍ରଦର୍ଶନୀ ମଧ୍ୟ ଲୋକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଚି।
ଆଜି ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ “ରାଜଧାନୀ ଗୌରବ ସମ୍ମାନ” ପ୍ରଦାନ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନେ ସମ୍ମାନିତ ହେବେ। ଏଥି ସହିତ ଓଡ଼ିଆ ସଂସ୍କୃତିକ ରଙ୍ଗରେ ଭରିଥିବା ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନୋମୁଗ୍ଧ କରିବ। ସେହିପରି ଦ୍ୱିତୀୟ ଦିନ ଅପ୍ରିଲ ୧୪ରେ ମଧ୍ୟ ଉତ୍କଳ ମଣ୍ଡପରେ ଓଡ଼ିଆ ପକ୍ଷ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଦୁଇଦିନ ଧରି ଏହି ଉତ୍ସବରେ ବିଭିନ୍ନ ଅତିଥିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜଧାନୀ ଭୁବନେଶ୍ୱର ଏହି ଦୁଇ ଦିନ ଧରି ଉତ୍ସବ, ସଂସ୍କୃତି ଓ ଗୌରବର ରଙ୍ଗରେ ରଙ୍ଗିତ ହେବ।
୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ତାରିଖ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା। ୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢ଼ି ଲୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର "ଅଟୋକଏନ୍ସ ବର୍ଗର"। ୧୯୪୮ ମସିହା ଅପ୍ରେଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା।