ପାର୍ବଣ ଋତୁ ଆରମ୍ଭ ହୋଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ପରିବେଶ। ସ୍କୁଲ, କଲେଜ, ମଣ୍ଡପ ଭଳି ଅନେକ ସ୍ଥାନରେ ଭୋଗ ପ୍ରସ୍ତୁତ ହେଉଛି। ଅନେକ ସମୟରେ ବାସି ଭୋଗ ଖାଇ ଅନେକ ଗୁରୁତର ହୋଇପଡ଼ୁଛନ୍ତି। ରାଜ୍ୟରେ ବଢିଚାଲିଛି ବିଷାକ୍ତ ଖାଦ୍ୟର ପରିମାଣ । ପ୍ରତିବର୍ଷ ବିଷାକ୍ତ ଖାଦ୍ୟ ଖାଇ ଅଧିକାଂଶ ଲୋକ ରୋଗକୁ ଡାକୁଛନ୍ତି । କେବଳ କୋଭିଡ ୨ବର୍ଷକୁ ବାଦ୍ ଦେଲେ ବିଗତ ୧୦ବର୍ଷରେ ପ୍ରତିବର୍ଷ ହାରାହାରି ୨ହଜାରୁ ଅଧିକ ଲୋକ ବିଷାକ୍ତ ଖାଦ୍ୟ ଖାଇ ରୋଗରେ ପଡ଼ିଛନ୍ତି। ବାସି ଭୋଗ, ବିଷାକ୍ତ ଛତୁ ଓ ଆମ୍ବ ଟାକୁଆ ଭଳି ମାମଲା ଭିତରେ ଏହା ସୀମିତ ନାହିଁ । ବରଂ ସବୁଠାରୁ ଉଦ୍ବେଗଜନକ ବିଷୟ ହେଉଛି, ସ୍କୁଲ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ବିଷାକ୍ତ ଖାଦ୍ୟ ତାଲିକାରୁ ବର୍ତ୍ତି ପାରିନାହିଁ। ବିଷାକ୍ତ ମଧ୍ୟାହ୍ନ ଭୋଜନ ମାମଲାରେ ଗତ ୯ବର୍ଷରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୨ ମସିହାରୁ ୨୦୨୨ ମସିହା ମଧ୍ୟରେ ବିଷାକ୍ତ ଖାଦ୍ୟ ଜନିତ ୨୧,୯୬୦ ମାମଲା ନଜରକୁ ଆସିଛି। ୨୦୧୩ ମସିହାରେ ସର୍ବାଧିକ ୩୧୦୭ ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୨୦-୨୦୨୧ ମସିହାରେ ୯୭୪ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏହି ଦୁଇ ବର୍ଷ କୋଭିଡ୍ ମହାମାରୀ ନିଜର ଚରମ ପର୍ଯ୍ୟାୟରେ ରହିଥିଲା। କୋଭିଡ ଅପସରି ଯିବା ପରେ ପୁଣିଥରେ ମାମଲା ସଂଖ୍ୟା ମୁଣ୍ଡ ଟେକିଛି। ଗତବର୍ଷ ରାଜ୍ୟରେ ୩୪ଜଣ ବିଷାକ୍ତ ଖାଦ୍ୟ ଖାଇ ପ୍ରାଣ ହରାଇଛନ୍ତି; ଯାହାକି ବିଗତ ୧୦ବର୍ଷରେ ସର୍ବାଧିକ। ସମୁଦାୟ ଭାବେ ୧୪୯ଜଣଙ୍କ ମୃତ୍ୟୁ ହୋଇଛି। ନିୟମିତ ଖାଦ୍ୟ ପଦାର୍ଥର ଯାଞ୍ଚ ନ ହେବା କାରଣରୁ ପ୍ରତିବର୍ଷ ଶହ ଶହ ମାମଲା ନଜରକୁ ଆସୁଛି।
ଅଧିକ ପଢନ୍ତୁ :ଝାରସୁଗୁଡ଼ାରେ ବେଶ ଜମିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
ମଧ୍ୟାହ୍ନ ଭୋଜନ ବିଷାକ୍ତ ହେବା କାରଣରୁ ପ୍ରତିବର୍ଷ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ୁଛନ୍ତି। ଅନେକ ସମୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି, ମୂଷା, ଅସରପା ଆଦି ପଡ଼ିଯିବା କାରଣରୁ ଏଭଳି ପରିସ୍ଥିତି ଉପୁଜୁଛି। ଗତବର୍ଷ ସେପ୍ଟେମ୍ବର ମାସରେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ୨୦୦୯ରୁ ୨୦୨୨ ମସିହା ମଧ୍ୟରେ ଦେଶରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଜନିତ ୯୬୪୬ ମାମଲା ଆସିଛି। ତହିଁରୁ କର୍ଣ୍ଣାଟକରୁ ସର୍ବାଧିକ ୧୫୨୪, ଓଡ଼ିଶା ୧୩୨୭ ଓ ତେଲେଙ୍ଗାନା ୧୦୯୨ ମାମଲା ରହିଛି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ହୋଇଥିବା ସିଏଜି ଅଡିଟ୍ରେ ବିଦ୍ୟାଳୟଗୁଡ଼ିକରେ ଖାଦ୍ୟ ପ୍ରସ୍ତୁତି ନେଇ ଭିତ୍ତିଭୂମିର ଅଭାବ, ନିୟମିତ ଯାଞ୍ଚ ନ ହେବା, ରିପୋର୍ଟିଂର ଅଭାବ ଓ ଅଭିଯୋଗ ଗ୍ରହଣ ନେଇ କୌଣସି ବ୍ୟବସ୍ଥା ନ ଥିବା ନେଇ ପ୍ରଶ୍ନ ଉଠାଇଥିଲେ। ସେହିପରି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ଡାକ୍ତରମାନଙ୍କୁ ମଧ୍ୟ ବିଷାକ୍ତ ଖାଦ୍ୟ ଜନିତ ମାମଲାର ରିପୋର୍ଟିଂ ପାଇଁ ଅଧିକୃତ କରା ନ ଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏ କ୍ଷେତ୍ରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭକରି ଲୋକମାନେ ସତର୍କ ରହିବାର ଆବଶ୍ୟକତା ରହିଛି।