ଭୁବନେଶ୍ଵର: ବିଜେଡି ସରକାର ସମୟରେ ଗଠିତ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ଚରଣ ମାଝୀ ସରକାର। ଆଜି ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତାକୁ ମଧ୍ୟ ରାଜ୍ୟ ସରକାର ସମାପ୍ତ କରିଛନ୍ତି । ତତକାଳୀନ ବିଜେଡି ସରକାର ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୨୦୧୭ ମସିହାରେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏବଂ ୨୦୨୩ ମେ’ ମାସରେ ଆଉ ୧୪ଟି ଜିଲ୍ଲାରେ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ବା ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ(ଏସଡିସି) ଗଠନ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତା ସମାପ୍ତ ହୋଇଛି ।
ସୂଚନାଯୋଗ୍ୟ, ପୂର୍ବର ବିଜେଡି ସରକାର ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ । ଏହାର ଅଧ୍ୟକ୍ଷ ଓ ସଦସ୍ୟ ପଦବୀରେ ବିଜେଡିର ନେତାମାନଙ୍କୁ ଥଇଥାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୨୩ ମେ’ ମାସରେ ଆଉ ୧୪ଟି ଜିଲ୍ଲାରେ ଏହି ପରିଷଦ ଗଠନ ହୋଇଥିଲା । ତାହାକୁ ସଂପୂର୍ଣ୍ଣ ଉଚ୍ଛେଦ କରିଛନ୍ତି ବିଜେପି ସରକାର।