ସରକାରୀ ଜମିରେ ନିର୍ମାଣଧିନ ଘର ଭଙ୍ଗାକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ଫଳରେ ଉଭୟ ଗ୍ରାମରେ ଅଶାନ୍ତର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଥିଲା। ସୂଚନା ମୁତାବକ କୋଲନରା ବ୍ଲକ ଡୁମୁରି ଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶାନ୍ତାବାଡିଗାଁ ମୌଜାର ଖାତା ନମ୍ବର ୨୭ରେ ଥିବା ସରକାରୀ ଜମିରେ ପଡୋଶୀ ଖେଦାପଡ଼ା ପଞ୍ଚାୟତର ଅନ୍ତର୍ଗତ ଦେଓପୁର ଗାଁର ହରିଜନ ସାହିର ଅନିରୁଦ୍ଧ ବାତ୍ରୀୟା, ହରେକୃଷ୍ଣ ସାମଲ ଓ ପ୍ରଶାନ୍ତ ସାମଲ ଘର ନିର୍ମାଣ କାମ ଆରମ୍ଭ କରିଥଲେ। ତେବେ ଏହା ସରକାରୀ ଜାଗାକୁ ନେଇ ପ୍ରାୟ ବର୍ଷେ ହେଲା ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁଥିବା ସୂଚନା ମିଳିଛି।
ଏହି ସରକାରୀ ଜାଗାକୁ ନେଇ ସାନ୍ତାବାଡ଼ି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିବା କହିଛନ୍ତି। କିନ୍ତୁ ଏ ନେଇ ପ୍ରଶାସନ କୌଣସି ସମାଧାନର ବାଟ ଯଦି ନଥିବା ବେଳେ ଶୁକ୍ରବାର ଦିନ ହଠାତ୍ ଦଳବଦ୍ଧ ଭାବେ ସାନ୍ତାବାଡି ଗାଁର ଗ୍ରାମବାସୀ ସେହି ସରକାରୀ ଜାଗାରେ ନିର୍ମାଣଧୀନ ଘରକୁ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ଦୁଇ ଗ୍ରାମରେ ଉତ୍ତେଜନା ଦେଖିଯାଇଥିଲା । କିନ୍ତୁ ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା କୁହାଯାଇଛି । ବର୍ତ୍ତମାନ ଦୁଇ ଗାଁର ପରିବେଶ ଶାନ୍ତ ରହିଥିବା ବେଳେ ଏହାର ସମାଧାନ ଯଦି ପ୍ରଶାସନ ନ କରେ ତାହେଲେ ଏହି ଘଟଣାକୁ ନେଇ ଆଗକୁ ଦୁଇ ଗ୍ରାମର ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।