ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ । ଭୁବନେଶ୍ୱର ମୈତ୍ରିବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ହେଲା ତପନ ପ୍ରସାଦ ଆଚାର୍ଯ୍ୟ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ହୋଇଥିବା ବେଳେ ତାଙ୍କ ଘର ଫୁଲବାଣୀ ସଦର ଥାନା ଲେଙ୍ଗର ସାହି ଅଞ୍ଚଳରେବୋଲି ଜଣାପଡିଛି । ସେ ମଙ୍ଗଳବାର ଦିନ କର୍ପୋରେଟ ମିଟିଂ ପାଇଁ ଭୁବନେଶ୍ୱର ଆସିଥିବା ବେଳେ ଶାନ୍ତି ଗେଷ୍ଟ ହାଉସରେ ରହିଥିଲେ । ତେବେ କେମିତି ତାଙ୍କର ମୃତ୍ୟୁ ହେଲା, ଏହା ହତ୍ୟା ନା ଆଉ କିଛି ତାହା ସ୍ପଷ୍ଟ ହୋଇନି । କିନ୍ତୁ ସେ ରହୁଥିବା ରୁମ ସାରା ରକ୍ତ ପଡିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।
ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ମୈତ୍ରୀ ବିହାର ଥାନା ଗଜପତି ନଗରରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ତେବେ ତପନ ସବୁ ମାସ ପରି ଭୁବନେଶ୍ୱର ଆସିଥିଲେ ଏକ କର୍ପୋରେଟ ମିଟିଂ ପାଇଁ ଆଉ ମଙ୍ଗଳବାର ଶାନ୍ତି ଗେଷ୍ଟ ହାଉସରେ ଚେକ୍ ଇନ୍ କରି ୨୦୨ ନମ୍ବର ରୁମରେ ରହିଥିଲେ । ଗୁରୁବାର ତାଙ୍କ ମୃତଦେହ ପଚିସଢି ଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଥିବା ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେଣୁ ତାଙ୍କ ମୃତ୍ୟୁ ୪୮ ଘଣ୍ଟାରୁ ଅଧିକ ସମୟ ହେଲା ହୋଇଥିବା ଅନୁମାନ କରାଯାଉଛି । ହୋଟେଲ ରୁମର ଖଟ ତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ଏବଂ ଏଥିସହ ରୁମ ସାରା ରକ୍ତ ଦେଖିବାକୁ ମିଳିଥିଲା ।
ତେବେ କେଉଁ ଅବସ୍ଥାରେ ଶିଳ୍ପପତିଙ୍କ ମୃତ୍ୟୁ ହେଲା ସେନେଇ ପୋଲିସ ଛାନଭିନ କରିବା ସହିତ ହୋଟେଲ ରୁମର ସିସିଟିଭି ଫୁଟେଜ ଯାଞ୍ଚ ଏବଂ ହୋଟେଲ କର୍ମଚାରୀ ମାନଙ୍କୁ ପଚରାଉଚରା କରୁଛି । ଏଥିସହ ତପନ ରହୁଥିବା ପାଖ ରୁମରେ କିଏ କିଏ ରହିଛନ୍ତି ସେନେଇ ଗେଷ୍ଟ ହାଉସ ମାଲିକଙ୍କୁ ପଚରାଉଚରା କରୁଛି ମୈତ୍ରିବିହାର ଥାନା ପୋଲିସ ।
ଅଧିକ ପଢ଼ନ୍ତୁ : ଆଜି ପୁରୀରେ ପହଞ୍ଚିଲା ରଥ ଦଉଡି