ଆସନ୍ତା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ବିଶ୍ଵ ପ୍ରସିଦ୍ଧ ସିଦ୍ଧ ରଥଯାତ୍ରା । ତେଣୁ ରଥଯାତ୍ରା ପାଇଁ ଆଜି ପୁରୀରେ ପହଞ୍ଚିଛି ରଥ ଦଉଡି । ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମୁଦାୟ ୨୬ଟି ଦଉଡି ଆସି ପହଞ୍ଚିଛି । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତ କରୁଥିଲେ ।
ତେବେ ଆଜି ଏହି ଦଉଡି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି ।ଯାହା ସୂଚନା ରହିଛି ତିନି ରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ଥିବାବେଳେ ଆଉଟଡୋର, ଇନର୍, ଜେନେରାଲ୍ ଓ ପୋଲିସଙ୍କ ପାଇଁ ତିନୋଟି ଲେଖାଏଁ ମୋଟ ୧୨ଟି ଦଉଡି ରହିଛି । ରଥଟଣା ପାଇଁ ରଥ ଦଉଡିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏହାର ଗୋଲେଇ ରହିଛି ୮ ଇଞ୍ଚ । ସେହିପରି ଅନ୍ୟ ଦଉଡ଼ିର ଗୋଲେଇ ଚାରି ଇଞ୍ଚ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ରଥ ତତ୍ଵାବଧାରକ ସୁଦର୍ଶନ ମେକାପ କହିଛନ୍ତି ।