ବଲାଙ୍ଗୀରି ଟିଟିଲାଗଡ଼ ହୋଟେଲ୍ ମାଲିକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ମାମଲାରେ ରିମାଣ୍ଡରେ ଆସିଲା ମାଷ୍ଟରମାଇଣ୍ଡ୍ ଅଙ୍କୁର ଅଗ୍ରୱାଲ। ଅଙ୍କୁରଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ଆଣି ଜେରା କରୁଛି ଟିଟିଲାଗଡ଼ ପୋଲିସ। ନକଲି ସିମ୍ ବ୍ୟବହାର କରି ନଗ୍ନ ଫଟୋ ବ୍ଲାକମେଲିଂ ନେଇ ଖୋଳତାଡ଼ କରୁଛି ପୋଲିସ।
ଘଟଣା ମୁତାବିକ ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ ହତ୍ୟା ପାଇଁ ୫ ଲକ୍ଷ ସୁପାରି ଦେଇଥିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍ପି। ୫ ଲକ୍ଷ ସୁପାରି ନେଇଥିବା ଭକ୍ତବନ୍ଧୁ ସର୍ଖେଲ, ନରେଶ ବେହେରା ମଧ୍ୟ ଗିରଫ ହୋଇଛନ୍ତି। ଅଙ୍କୁର ଏକ ତରଫା ଭାବେ ହୋଟେଲ ମାଲିକଙ୍କ ପତ୍ନୀଙ୍କୁ ଭଲ ପାଉଥିଲା। ହୋଟେଲ ମାଲିକଙ୍କ ପତ୍ନୀଙ୍କ ଫଟୋକୁ ଅଶ୍ଳୀଳ ଏଡିଟ୍ କରି ପଠାଉଥିଲା। ତଥାପି ଉଦ୍ଦେଶ୍ୟ ପୂରଣ ନ ହେବାରୁ ସୁପାରି ଦେଇ ହତ୍ୟା ଉଦ୍ୟମ କରିଥିଲା ଅଙ୍କୁର।
ସେପଟେ ଗିରଫ ବ୍ୟବସାୟୀ ଅଙ୍କୁର ଅଗ୍ରୱାଲ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ନକଲି ସିମ୍ ବ୍ୟବହାର ନେଇ ସିନ୍ଧେକେଲା ଥାନାରେ ମାମଲା ରୁଜୁ ହୋଇଛି। ନକଲି ସିମ୍ ବ୍ୟବହାର କରି ମହିଳାଙ୍କ ନଗ୍ନ ଫଟୋ ଛାଡ଼ି ବ୍ଲାକମେଲ୍ କରୁଥିବା ନେଇ ଅଭିଯୋଗ ହୋଇଛି। ତେବେ ଅଧିକ ତଥ୍ୟ ପାଇଁ ଅଙ୍କୁର ଅଗ୍ରୱାଲକୁ ରିମାଣ୍ଡରେ ଆଣିବ ପୋଲିସ। ହୋଟେଲ୍ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ଷଡ଼ଯନ୍ତ୍ରରେ ଏବେ ଜେଲ୍ରେ ଅଛି ଅଙ୍କୁର। ବିନା ନମ୍ବର ପ୍ଲେଟ୍ ଥିବା ବୋଲେରୋ ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲା।
ଗତ ୨୮ ତାରିଖରେ ଟିଟିଲାଗଡ଼ରେ ଜଣେ ହୋଟେଲ ମାଲିକ ଶିବଦୟାଲ ଜୈନ ସ୍କୁଟିରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ବୋଲେରୋ ତାଙ୍କୁ ପିଛା କରିଥିଲା। ଧଳା ରଙ୍ଗର ନମ୍ୱର ବିହୀନ ବୋଲେରୋ ବିଡିସିସି ବ୍ୟାଙ୍କ ଆଗରେ ନିଛାଟିଆ ସ୍ଥାନ ଦେଖି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଶିବଦାୟଲଙ୍କୁ ପରିବାର ଲୋକେ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।