ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକାର ପୁଡୁଗେଶ୍ୱର ମନ୍ଦିର ନିକଟରେ ଓଲଟିଲା ଡାଲା ଅଟୋ। ତେବେ ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମକର ସଂକ୍ରାନ୍ତିରେ ବୁଡ଼ ପକାଇବାକୁ ଯିବା ବେଳେ ଏହିପରି ଅଘଟଣ ଘଟିଛି।
ସୂଚନା ଅନୁସାରେ , ଡେଙ୍ଗାଡି ଗାଁର ୧୫ ଜଣ ଏକ ଡାଲା ଅଟୋରେ ବୁଡ଼ ପକାଇବା ପାଇଁ ଆସିକା ଦୋ ମୁହାଣୀକୁ ଯାଉଥିଲେ। ଏହି ସମୟରେ ଡାଲା ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ସମସ୍ତଙ୍କୁ ଉଦ୍ଧାର କରାଯାଇ ଆସିକା ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।