କଳାକାର ହୋଇ ବଞ୍ଚିବା ଜାର ଭାଗ୍ୟରେ ଅଛି ଲେଖା, ଦୁଃଖର ଅନଳେ ଜଳିଲେ ବି ତାର ହସ ପଡ଼େ ନାହିଁ ଫିକା’ । ଏଭଳି ଏକପଦୀଏ କବିତା ପାଇଁ ଚର୍ଚ୍ଚିତ କବି ନିଗମ ନାଥଙ୍କ ଏହା ହେଉଛି ଏକ ବହୁଆଦୃତ କବିତା । ନିଗମ, ପ୍ରକୃତରେ କବି ଏବଂ ବୃଦ୍ଧିରେ ଜଣେ କଳାକାର। ଫଟୋ, ମାନପତ୍ର, ଫଳକ, ଟ୍ରଫି ଆଦିର ଡିଜାଇନିଂ କାମ କରୁଥିବା ଶ୍ରୀ ନାଥ ଏବେ ନିଜ ଘରକୁ ଭିନ୍ନ ଡିଜାଇନରେ ପ୍ରସ୍ତୁତ କରିଛନ୍ତି। ନିଜ ଘର କାନ୍ଥରେ ଖୋଦେଇକରି ଲେଖିଛନ୍ତି ଜୀବନ ଜଞ୍ଜାଳ ଅଧାରିତ ଏକାଧିକ ଏକପଦୀ କବିତା। ସେ ଘରର ନାମ ରଖିଛନ୍ତି ‘ଗୀତଘର’I
ସ୍ଥାନୀୟ ଗାନ୍ଧିନଗର ପଡା ହାଟପଦାପଡ଼ା କୁ ସଂଯୋଗ କରୁଥିବା ରାସ୍ତାରେ ରହିଛି ନିଗମଙ୍କ ନବନିର୍ମିତ ଗୀତଘର। ଘରର ସାମ୍ନା ଉପରମହଲା କାନ୍ଥରେ ପ୍ରାୟ ୯ଟି ଏକପଦୀ କବିତା ଗ୍ରାନାଇଟ ପଥରରେ ଖୋଦେଇ ହୋଇଛି। ସେଥିରେ ପ୍ରେମମୟ ସମ୍ପର୍କ, ସ୍ନେହ, ଶ୍ରଦ୍ଧା, ସଂଘର୍ଷମୟ ଜୀବନ, ସମୟଚକ୍ର, ସ୍ବପ୍ନର ରାତି, କଳାକାର ଜୀବନ ଏବଂ ମୃତ୍ୟୁର ସତ୍ୟ ଭଳି ଭାବ ଫୁଟିଉଠିଛି। କେବଳ କବିତା ନୁହେଁ ଘରର ସାମ୍ନା, ଭିତର, ଛାତ ଆଦିରେ ମଧ୍ୟ ସେ ବିଭିନ୍ନ ଲୋକକଳାକୁ ଫୁଟାଇପାରିଛନ୍ତି। ଆଦିମ ଲୋକକଳା ଓ ଲୋକସଂଗୀତର ଅନେକ ଦୃଶ୍ୟକୁ ସେ ଗୀତଘରେ ସ୍ଥାନ ଦେଇଛନ୍ତି। ଶ୍ରୀ ନାଥ କଳାକାର ଭାବନେଇ ବଞ୍ଚୁଥିବା ଜଣେ ମଣିଷ। ତେଣୁ ଘର ତିଆରି ପାଇଁ ଦେଶଯାକ ବୁଲିବୁଲି ବିଭିନ୍ନ ସ୍ଥାନରୁ ନିଜ ଡିଜାଇନ ପାଇଁ ଆବଶ୍ୟକ ସାମଗ୍ରୀ କିଣିଛନ୍ତି। ଘରନିର୍ମାଣ ଖର୍ଚ୍ଚ ଅପେକ୍ଷା ‘ଗୀତଘର’ ଡିଜାଇନରେ ତାଙ୍କର ଅଧିକ ଖର୍ଚ ହୋଇଛି। କିନ୍ତୁ ଖର୍ଚ୍ଚ ଅଧିକ ହୋଇଥିଲେ ବି ଗୀତଘର ତାଙ୍କ କଳାକାର ଜୀବନର ସନ୍ତକ। ‘ଗୀତଘର’ ତାଙ୍କୁ ଶକ୍ତି ପ୍ରଦାନ କରିବ ଓ ଅନ୍ୟକୁ ପ୍ରେରଣା ଯୋଗାଇବ ବୋଲି ସେ କୁହନ୍ତି। ରାସ୍ତାରେ ଯାଉଥିବା ପଥଚାରୀମାନେ ଗୀତଘରକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏଭଳି ପ୍ରୟାସକୁ ସ୍ବାଗତ କରିଛନ୍ତି।