ଫୁଲବାଣୀ : ଘର କବାଟରେ ଝୁଲୁଛି ନାବାଳିକାର ମୃତଦେହ। ଫୁଲବାଣୀ ଟାଉନ ଥାନା ପିଅନପଡ଼ାରେ ଘଟିଛି ଏହି ଘଟଣା। ମୃତ ନାବାଳିକାର ବୟସ ୧୦ ବର୍ଷ ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ତେବେ ଉକ୍ତ ନାବାଳିକାର ନିଜ ସମ୍ପର୍କୀୟ ଭାଇ ତାକୁ ହତ୍ୟା କରି ଏଭଳି କବାଟରେ ଝୁଳାଇ ଦେଇଥିବା ସନ୍ଦେହ କରାଯାଉଛି। ତେଣୁ ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ମୃତ ନାବାଳିକାର ବାପା ମା’ କୌଣସି କାମ ପାଇଁ ଘର ବାହାରକୁ ଯାଇଥିଲେ। ଘରେ କେହି ନଥିବାରୁ ନାବାଳିକାର ସମ୍ପର୍କୀୟ ଭାଇ ହତ୍ୟା କରି ଏଭଳି କବାଟରେ ଝୁଳାଇ ଦେଇଥିଲା। ଝିଅର ବାପା ମା’ ଘରକୁ ଫେରି ଝିଅର ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଏହାପରେ ତାକୁ ସଙ୍ଗେ ସଙ୍ଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣା ନେଇ ଫୁଲବାଣୀ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।