ବାଲେଶ୍ବର: ଆଜି ସକାଳୁ ସୁନା ଦୋକାନରୁ ଲୁଟ କଲେ ଦୁର୍ବୁତ୍ତ । ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସହ ୩ଶହ ଗ୍ରାମରୁ ଉର୍ଦ୍ଧ୍ୱ ସୁନା ନେଇ ଚମ୍ପଟ ମାରିଛି ଦୁର୍ବୁତ୍ତ । ଏପରି ଏକ ଘଟଣା ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାର ରେ ଥିବା ମାଳତୀ ଜୁଏଲାର୍ସରେ ଘଟିଛି ।
ସୂଚନା ଅନୁସାରେ, ଆଜି ସକାଳେ ଦୋକାନୀ ଜଣକ ଦୋକାନ ଖୋଲିବା ପରେ ଦୋକାନ ଭିତରେ ନଗଦ ଟଙ୍କା ଏବଂ ଗହଣା ଭର୍ତ୍ତି ବ୍ୟାଗ ରଖି ବାହାରକୁ ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ ଦୁର୍ବୁତ୍ତ ଦୋକାନ ଭିତରକୁ ପଶି ଆସି ଉକ୍ତ ବ୍ୟାଗକୁ ନେଇ ଚମ୍ପଟ ମାରିଥିଲା । ଦୋକାନୀ ଜଣକ ସ୍ଥାନୀୟ ଅଂଚଳରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ଏନେଇ ଦୋକାନୀ ମାଲିକ କମର୍ଦ୍ଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରୁଛି ।