ବଦଳିଯିବ କି ଲକ୍ଷ୍ମୀ ବସର ନାଁ। ଲକ୍ଷ୍ମୀ ବସ୍ ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ପରିବହନ ମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍ ସେବା ନେଇ ସରକାରଙ୍କ ସହ ତର୍ଜମା ଚାଲିଛି। ତେବେ ଲୋକଙ୍କୁ ବସ୍ ସେବା ଜାରି ରହିବ, ଏ ପ୍ରତିଶ୍ରୁତି ଆମେ ଦେଉଛୁ। ଯେଉଁ ସ୍ଥାନକୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକମାନଙ୍କୁ କିଭଳି ଭାବେ ବସ୍ ସେବା ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନିଆଯାଉଛି। ଯେଉଁ ବସ ସେବା ନାଁରେ ହେଉ ପଛେ ଲୋକମାନଙ୍କୁ ବସ୍ ସେବା ଯୋଗାଇ ଦିଆଯିବ। ନାଁ ବଦଳିପାରେ, ନାଁ ରେ କଣ ଅଛି, ସେବା ମିଳିବା ଦରକାର ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।
ସୋମବାର OSRTC କାର୍ଯ୍ୟାଳୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା OSRTC କାର୍ଯ୍ୟର ସମୀକ୍ଷା କରିବା ପରେ ଏହା କହିଛନ୍ତି। ଏଥିସହ ପରିବହନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଆରମ୍ଭ ହେବ ବସ୍ ସେବା।ଅଯୋଧ୍ୟା, ତିରୁପତି, ମହାକାଳେଶ୍ବର, ବାରାଣସୀ ଓ ବୃନ୍ଦାବନକୁ ଗଡିବ ବସ୍। ପୁରୀ, ଭୁବନେଶ୍ୱରର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥାନରୁ ଏସବୁ ତୀର୍ଥ ସ୍ଥଳୀକୁ ବସ୍ ଚାଲିବ। ପ୍ରାରମ୍ଭିକ ଭାବେ ୧୦୦ ବସ୍ କିଣିବାକୁ ନିଷ୍ପତ୍ତି ହୋଇଛି। ରଥ ଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ବସ୍ ଗଡ଼ିବ।ରାଜ୍ୟର ୩୧୪ ବ୍ଲକରୁ ପୁରୀକୁ OSRTC ବସ୍ ଗଡ଼ିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।