ବଢ଼ି ଚାଲିଛି ତାପମାତ୍ରା ଆଉ ବଢି ଚାଲିଛି ଖରା । ଏବେ ଠାରୁ ହିଁ ଜଳୁଛି ସାରା ଓଡ଼ିଶା । ଦିନରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବଢୁଛି । ଏବେ କେବଳ ଫେବ୍ରୁଆରୀ ମାସ ହୋଇଥିବା ବେଳେ , ଏବେ ଠାରୁ ହିଁ ରାଜ୍ୟରେ ଅସହ୍ୟ ଖରା ଅନୁଭୂତ ହେଲାଣି ।
ବର୍ତ୍ତମାନ ଦିନର ତାପମାତ୍ରା ସ୍ଵାଭାବିକଠାରୁ ୨-୩ ଡିଗ୍ରୀ ଅଧୁକ ରହୁଛି । ଏବେ ଚାଲିଛି ମାଘରେ ବୈଶାଖ ମାସ ଭଳି ଖରା ଅନୁଭୂତ ହେବାରେ ଲାଗିଛି । ଏବେ ଦିନର ତାପମାତ୍ରା ୩୫ ଡିଗ୍ରୀ ହେଲାଣି । ଗତକାଲି ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି | ଏହାସହ ୧୫ ସହରରେ ପାରଦ ୩୫ ଡିଗ୍ରୀ କିମ୍ବା ତାଠୁ ଅଧିକ ରେକର୍ଡ କରାଯାଇଛି । ଦିନ ୧୦ଟା ପରେ ଘରୁ ବାହାରିଲେ ତାତିରେ ମୁହଁ ପୋଡିଯାଉଛି । ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି ।
ଭବାନୀପାଟଣା, ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ରହିଥିଲା ୩୫.୬ ଡିଗ୍ରୀ ସେଲସିୟସ୍। ଟିଟିଲାଗଡ଼, ନୟାଗଡ଼ ଓ ଜଗତସିଂହପୁରରେ ରେକର୍ଡ ହୋଇଛି ୩୫.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା । ୨୨ରୁ ତାତି ଟିକେ କମିବ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ । ୨୨ରୁ ମାତ୍ର ୩ ଦିନ ହାଲୁକା ବର୍ଷାର ସମ୍ଭାବନା ରହି ଥିଲେ ବି ପରେ ତାତି ବଢିପାରେ । ମାର୍ଚ୍ଚରୁ ମେ ମାସ ଯାଏଁ ଅସହ୍ୟ ଗୁଳୁଗୁଳି ଓ ଖରା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଏହାସହ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି।