ମଙ୍ଗଳବାର ଦିନ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରର ମାଝିପାଲିଠାରେ ଭାରତର ପ୍ରଥମ ସ୍କିଲ୍ ଇଣ୍ତିଆ ସେଣ୍ଟରର ଉଦ୍ଘାଟନ କରିଛନ୍ତି। ଏହା ସହ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର-ଦର୍ଶନ ନଗର-ସମ୍ବଲପୁର ଆସ୍ଥା ସ୍ଵତନ୍ତ୍ର ଟ୍ରେନର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଟ୍ରେନରେ ସମ୍ବଲପୁରରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି ୧ହଜାର ୫୧୨ଜଣ ଯାତ୍ରୀ।
ସମ୍ବଲପୁରସ୍ଥିତ ମାଝିପାଲିରେ ଦେଶର ପ୍ରଥମ ସ୍କିଲ ଇଣ୍ଡିଆ କେନ୍ଦ୍ର (ଏସଆଇସି)ର ଉଦ୍ଘାଟନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, "ଏହି ସେଣ୍ଟର ବାର୍ଷିକ ହଜାରେ ଯୁବବର୍ଗଙ୍କୁ ସ୍ବରୋଜଗାରର ବାଟ ଦେଖାଇବ।ଏହି ସେଣ୍ଟର ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ, ଚମଡ଼ା, ପର୍ଯ୍ୟଟନ, ହସ୍ପିଟାଲିଟି ଏବଂ ITESS ଭଳି ଚାହିଦା ଥିବା କ୍ଷେତ୍ରରେ ଯୁବଶକ୍ତିଙ୍କ ଜ୍ଞାନ ବଢ଼ାଇବ।" SIC ସ୍ୱଳ୍ପ ମୂଲ୍ୟର ପାଠ୍ୟକ୍ରମର ପ୍ରବର୍ତ୍ତନ ବୃହତ ଯୁବକମାନଙ୍କୁ ସଶକ୍ତ କରିବ ଏବଂ ସେମାନଙ୍କୁ ବିକାଶଶୀଳ ଚାକିରି ମଧ୍ୟ ମିଳିବ। ନୂତନ ଚାକିରି ପାଇଁ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଭୂମିକା ଗ୍ରହଣ କରି ଚାହିଦାଯୁକ୍ତ ଶିଳ୍ପରେ ‘ଅମୃତ ପିଢ଼ି’ର କୌଶଳ ସେଟ୍କୁ ଉନ୍ନତ କରି ଏହି କେନ୍ଦ୍ର ମାଧ୍ୟମରେ ୧୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ଥିବାର କହିଛନ୍ତି ଶ୍ରୀ ପ୍ରଧାନ। ଏହି ସ୍କିଲ୍ ଇଣ୍ଡିଆ କେନ୍ଦ୍ର ବହୁ ସଂଖ୍ୟାରେ ଯୁବକ ଯୁବତୀ ମାନଙ୍କୁ ଚାହିଦାଯୁକ୍ତ ଶିଳ୍ପ ଓ ବାଣିଜ୍ୟରେ ନିଯୁକ୍ତି କୌଶଳ ଯୋଗାଇବ, ଏକ ଶିଳ୍ପ-ପ୍ରସ୍ତୁତ କର୍ମଜୀବୀ ସୃଷ୍ଟି କରିବ, ଉଦ୍ୟୋଗୀତାକୁ ଉତ୍ସାହିତ କରିବ ଏବଂ ସ୍କିଲ୍ ଇକୋସିଷ୍ଟମକୁ ମଜବୁତ କରିବ। ଏହା ସମୃଦ୍ଧିର ଅନୁକ୍ରମଣିକା ହେବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଆଗାମୀ ଦିନରେ ଓଡିଶାରେ ଆହୁରି ସ୍କିଲ୍ ଇଣ୍ଡିଆ କେନ୍ଦ୍ର ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ତାଳଚେର ଏବଂ ଦେଓଗଡରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି।
ଅଧିକ ପଢନ୍ତୁ: ତାତିରେ ଅସହ୍ୟ ରାଜ୍ୟବାସୀ