ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ସକ୍ରିୟ ଅବପାତ ଗତକାଲି ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ।
ଏହା ବିଶାଖାପାଟଣା ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୩୯୦ କିଲୋମିଟର ପାରାଦ୍ବୀପରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୩୨୦ କିଲୋମିଟର , ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ପଶ୍ଚିମବଙ୍ଗର ଦୀଘାଠାରୁ ୪୬୦ କିଲୋମିଟର ଦୂରରେ ଏବଂ ବାଂଲାଦେଶର ଖେପୁପାରା ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୧୦ କିଲୋମିଟର ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ନିଜ ଗତିର ଦିଗ ବଜାୟ ରଖିବା ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିଛି । ଆସନ୍ତା ବାର ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବ । ଆସନ୍ତାକାଲି ସକାଳ ବେଳକୁ ଏହା ବାଂଲାଦେଶ ଉପକୂଳକୁ ମଙ୍ଗଲା ଓ ଖେପୁପୁରା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୬୦ରୁ ୭୦ କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି ।୮୦ କିଲୋମିଟର ବେଗରେ ପବନର ବେଗ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ । ଗତକାଲି ରାଜ୍ୟରେ ପାଗ ବଦଳି ଯାଇଥିବା ବେଳେ ଆଜି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି । ବାକି ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୧୮ ଓ ୧୯ ତାରିଖରେ ରାଜ୍ୟର ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ । ୧୬ ରୁ ୧୮ ତାରିଖ ଯାଏ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ସମୁଦ୍ରର ଆଖପାଖ ଅଞ୍ଚଳ , ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଓ ଉତ୍ତର ବଙ୍ଗୋପସାଗର ଅଞ୍ଚଳକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ଆଜି ରାଜଧାନୀ ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିପାରେ । କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୧ ଡିଗ୍ରି ମଧ୍ୟରେ ରହିବ ।
ଆଗକୁ ପଢନ୍ତୁ :- ପ୍ରବଳ ବର୍ଷାରେ ଭିଜିବ ଓଡିଶା