ବଲାଙ୍ଗୀର : ଆସନ୍ତାକାଲି ମଙ୍ଗଳବାର ପାଳନ ହେବ ଦୂତିବାହନ ଓଷା ବା ପୁଅ ଜିଉଁତିଆ ଓଷା । ପୁଅ ମାନଙ୍କ ମଙ୍ଗଳ ମାନସୀ ମା ମାନେ ନିର୍ଜଳା ଉପବାସ କରି ପୂଜାର୍ଚ୍ଚନା କରିବେ । ଏହି ପୂଜାରେ ୨୧ ପ୍ରକାର ଫଳମୂଳ ଲାଗେ ଏଥିପାଇଁ ସକାଳୁ ସକାଳୁ ବଲାଙ୍ଗୀର ସହରରେ ତିହାରି ହାଟ ବସିଥିବା ଦେଖିବାକୁ ମିଳିଥିଲା । ଏହି ତିହାରି ହାଟରେ ପୂଜାରେ ବ୍ୟବହୃତ ପନିପରିବା ଠୁ ଆରମ୍ଭ କରି ନାନା ପ୍ରକାର ଫଳମୂଳ ଆଦି ବିକ୍ରୀ ହେଉଥିଲା । ମାଆ ମାନେ ବଜାର କୁ ଆସି କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା । ଅଁଳା, ବାହାଡ଼ା, କରମଙ୍ଗା, ଦୁବ ଘାସ ଏଭଳି ବିଭିନ୍ନ ପ୍ରକାର ଜିନିଷ ବଜାର ରେ ବିକ୍ରୀ ହେଉଥିବା ବେଳେ ଗ୍ରାହକ ମାନେ କିଣୁଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳର ଲୋକେ ଏହି ଜଙ୍ଗଲ ଜାତ ଦ୍ରବ୍ୟକୁ ବିକ୍ରୟ କରି ଦୁଇ ପଇସା ପାଉଛନ୍ତି।
ଆସନ୍ତାକାଲି ମା ମାନେ ଦିନ ସାରା ନିର୍ଜଳା ଉପବାସ କରିବେ । ରାତିରେ ପୂଜାର୍ଚ୍ଚନା କରିବା ପରେ ପରଦିନ ସକାଳେ ପୁଣି ପୂଜାର୍ଚ୍ଚନା କରି ପୁଅ ମାନଙ୍କୁ ଜିଉନ୍ତିଆ ପିନ୍ଧାଇଥାନ୍ତି । ପଶ୍ଚିମ ଓଡ଼ିଶାରେ ଏହି ପୁଅ ଜିଉନ୍ତିଆ ର ବିଶେଷ ମହତ୍ତ୍ଵ ରହିଛି । ମାଆ ମାନେ ପୁଅର ଆୟୁଷ କାମନା କରି ଏହା ବ୍ରତକୁ ନିଷ୍ଠାର ସହିତ ପାଳନ କରିଥାନ୍ତି।