ସୋମବାର ସଫେଇ ଓ ପରିମଳ କାର୍ଯ୍ୟରେ ନିୟୋଜିତ ସ୍ୱଚ୍ଛ ସାଥି ଓ ସୁପରଭାଇଜର ବର୍ଦ୍ଧିତ ଦରମା ସମେତ ଅନ୍ୟାନ୍ୟ ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ଓଡିଶା ସ୍ୱଚ୍ଛସାଥି ଓ ସୁପରଭାଇଜର ସଂଘ । ରାଜ୍ୟର ବିଭିନ୍ନ ମହାନଗର ନିଗମ, ପୌର ପରିଷଦ ଓ ବିଜ୍ଞାପିତ ପରିଷଦ ଅଂଚଳରେ ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ ସମୟ ଧରି ସରକାରଙ୍କ ବିଭିନ୍ନ ଯୋଜନାରେ ନାଗରିକମାନଙ୍କୁ ସେବା ପ୍ରଦାନ କରୁଛନ୍ତି । କିନ୍ତୁ ପରିତାପର ବିଷୟ ଯେ ଏତେ ବର୍ଷ ଧରି ନିଷ୍ଠାପର ଭାବରେ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ହେଁ ସ୍ଵଛ ସାଥି ଓ ସୁପରଭାଇଜର ମାନେ ସମ୍ପୂର୍ଣ୍ଣ ଭାବରେ ଅବହେଳାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।
ପୂର୍ବରୁ ଓଡିଶାକୁ ଶାସନ କରୁଥିବା ବିଜେଡି ସରକାର ସେମାନଙ୍କ ଦରମା ବୃଦ୍ଧି ଘୋଷଣା କରିଥିଲେ ସତ କିନ୍ତୁ ସେଥିରେ ଉତ୍କୃଷ୍ଟ କାର୍ଯ୍ୟ ପ୍ରଦର୍ଶନର ସର୍ତ ଲଗାଇଥିଲେ । ଏଭଳି ପରିସ୍ଥିତିରେ ନିଜର ମୌଳିକ ଅଧିକାର ଏବଂ ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହୋଇଛନ୍ତି ସ୍ୱଚ୍ଛ ସାଥି ଓ ସୁପରଭାଇଜରମାନେ । ସେଥିପାଇଁ ସେମାନେ ନୂଆ ସରକାର ସମୟରେ ଦରମା ବୃଦ୍ଧି ନେଇ ଦାବି କରିବା ସହିତ ଅନ୍ୟାନ୍ୟ ୧୦ ଟି ଦାବି ସମ୍ବଳିତ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠିଙ୍କୁ ପ୍ରଦାନ କରିଥିଲେ। ନୂଆ ସରକାର ସମୟରେ ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି ।