ଭୁବନେଶ୍ୱର: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇର ରେଡ ଆରମ୍ଭ ହୋଇଛି । ବିଷ୍ଣୁଙ୍କ ସରକାରୀ କ୍ୱାଟରରେ ୮ଜଣିଆ ସିବିଆଇ ଟିମ ପହଞ୍ଚିଛନ୍ତି । ବ୍ରିଜ ଓ ରୁଫ କମ୍ପନୀ ସହ ସମ୍ବନ୍ଧକୁ ନେଇ ସିବିଆଇର ତଦନ୍ତ ଆରମ୍ଭ ହୋଇଛି । ତେବେ ଏହି ରେଡ ସମୟରେ ବିଷ୍ଣୁପଦ ସେଠୀ ଓ ସିବିଆଇ ଅଫିସରଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବାର ଦେଖିବାକୁ ମିଳିଥିଲା । ପୂର୍ବରୁ ମଧ୍ୟ ଲାଞ୍ଚ ନେବା ମାମଲାରେ ବିଷ୍ଣୁପଦଙ୍କୁ ସିବିଆଇ ଧରିଥିଲା । ଏବେ ପୁନର୍ବାର ସିବିଆଇ ବିଷ୍ଣୁଙ୍କ ସରକାରୀ ବାସଭବନରେ ଛାପା ମାରିଛି ।
ସିବିଆଇ ବ୍ରିଜ ଓ ରୁଫ କମ୍ପନୀ ମାମଲାରେ ବିଷ୍ଣୁପଦଙ୍କୁ ପୂର୍ବରୁ ସମନ ଜାରି କରିଥିଲା । ବିଷ୍ଣୁପଦଙ୍କ ଲାଞ୍ଚ ମାମଲାରେ ସମ୍ପୃକ୍ତି ନେଇ ସିବିଆଇ ପାଖରେ ବହୁ ତଥ୍ୟ ରହିଥିବାର ସୂଚନା । ସୂଚନାଯୋଗ୍ୟ ଡିସେମ୍ବର ୭ରେ ଭୁବନେଶ୍ୱରର ମେଫେୟାର ହୋଟେଲ ସମ୍ମୁଖରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ସିବିଆଇ ଚଞ୍ଚଲ ମୁଖାର୍ଜୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ନେଇ ଆଜି ବିଷ୍ଣୁପଦଙ୍କ ଘରେ ସିବିଆଇର ରେଡ ଚାଲିଛି ।