ଭୁବନେଶ୍ବର: ସାରା ରାଜ୍ୟରେ ଆରମ୍ଭ ହେବ ପକ୍ଷୀ ଗଣନା । ଆସନ୍ତା ୧୭ ଓ ୧୮ ତାରିଖରେ ଅତ୍ୟାଧୁନିକ ଉପାୟରେ ରାଜ୍ୟରେ ପକ୍ଷୀ ଗଣନା କରାଯିବ । ଶୀତ ଋତୁ ପାଇଁ ବିଭିନ୍ନ ଦେଶରୁ ପକ୍ଷୀମାନେ ଚିଲିକା ସମେତ ଓଡିଶାକୁ ଆସିଥାନ୍ତି । ସେଥିପାଇଁ କେଉଁ ପକ୍ଷୀ କେଉଁଠାରୁ ଆସୁଛନ୍ତି ତାହା ଜାଣିବା ପାଇଁ ବିଦେଶାଗତ ପକ୍ଷୀଙ୍କଠାରେ ସାଟେଲାଇଟ୍ ରିଂ ଲଗାଯିବ। ଯାହା ପକ୍ଷୀଙ୍କ ଗତିବିଧିକୁ ନଜର ରଖିବା ସହିତ ବିଭିନ୍ନ ତଥ୍ୟ ସମ୍ପର୍କରେ ଅନୁଧ୍ୟାନ କରିବ । ଏହି ସାଟେଲାଇଟ୍ ରିଂ ପ୍ରଥମେ ପକ୍ଷୀ ଗଣନା ସମୟରେ ୨ରୁ ୪ଟି ପ୍ରଜାତି ପକ୍ଷୀଙ୍କଠାରେ ଲଗାଯିବ। ଏହା ସଫଳ ହେବା ପରେ ଅନ୍ୟ ପ୍ରଜାତି ପକ୍ଷୀଙ୍କଠାରେ ଲଗାଯିବ ବୋଲି ସୂଚନା ମିଳିଛି ।
ରାଜ୍ୟର ଚିଲିକା, ନଳବଣ, ଭିତରକନିକା, ଅଂଶୁପା, ହରାକୁଦ ପରି ପ୍ରମୁଖ ଜଳାଶୟରେ ଯେଉଁଠିକି ପ୍ରତିବର୍ଷ ବିଦେଶୀ ପକ୍ଷୀମାନେ ଆସିଥାନ୍ତି । ସେଠାରେ ପ୍ରଥମେ ପକ୍ଷୀ ଗଣନା ଆରମ୍ଭ ହେବ । ୨ରୁ ୪ଟି ପ୍ରଜାତି ପକ୍ଷୀଙ୍କଠାରେ ସାଟେଲାଇଟ୍ ରିଂ ଲଗାଯିବା ପରେ ପରବର୍ତ୍ତୀ ସମୟରେ ୧୦ଟି ପ୍ରଜାତିର ପକ୍ଷୀଙ୍କଠାରେ ସାଟେଲାଇଟ୍ ରିଂ ଲଗାଯିବ ବୋଲି ଯୋଜନା କରାଯାଇଛି । ବିଦେଶାଗତ ପକ୍ଷୀମାନେ ଶୀତ ଋତୁରେ ଓଡ଼ିଶାର ବିଭିନ୍ନ ଜଳାଶୟକୁ ଆସି, ପର୍ଯ୍ୟଟକ ଓ ଓଡିଶାବାସୀଙ୍କ ମନକୁ ମୋହିଥାନ୍ତି । ଏହି ସମୟରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ ।