ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ପାହାଡ ପାଦ ତଳେ ଆଦାନୀ କମ୍ପାନି ୧୮ ଏକର ଜମି କିଣିବା ଘଟଣାକୁ ନେଇ ବାଦ ବିବାଦ ଲାଗି ରହିଛି । ଏହାକୁ ନେଇ ଚର୍ଚ୍ଚା ଜୋର ଚାଲିଥିବା ବେଳେ ପୁଣି ଏକ ଜମି କିଣା ମାମଲା ସାମ୍ନାକୁ ଆସିଛି । ଏହା ମଧ୍ୟରେ ଆଦାନୀ ଜମି କିଣିବା ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ଗନ୍ଧମାର୍ଦ୍ଦନରେ କୌଣସି ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇ ନାହିଁ । ଅଧିଗ୍ରହଣ ହୋଇଥିଲେ ଆମ ବିଭାଗ ପାଖରେ ଖବର ରହିଥାନ୍ତା । ଜଙ୍ଗଲ ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି । ସେଥିପାଇଁ କେନ୍ଦ୍ରର ଅନୁମତି ଦରକାର ।
ତେବେ ଖବର କାଗଜରେ ନଭେମ୍ବର ୧୯ରେ ବଲାଙ୍ଗୀର ଜିଲ୍ଲା ସଂଲଗ୍ନ ଗାଇସିଲାଟ ବ୍ଲକ କଟାବାହାଲ ପଞ୍ଚାୟତ ଯୁବାଖୋଲ ଗାଁରେ କମ୍ପାନି ୨୩ ଏକର ଜମି କିଣିଥିବା ଖବର ପ୍ରକାଶ ପାଇଥିଲା । ଏହା ମଧ୍ୟ ଖବର ପ୍ରକାଶ ପାଇଥିଲା ଯେ, ଗତ ସେପ୍ଟେମ୍ବର ୨ ତାରିଖରେ କମ୍ପାନି ନାମରେ ଜମି ରେଜେଷ୍ଟ୍ରି ହୋଇଛି । ଉକ୍ତ ଅଞ୍ଚଳରେ ତିନି ଜଣ ଚାଷୀଙ୍କଠାରୁ ଏହି ଜମି କିଣା ଯାଇଛି । ଜମି କିଣା ଯାଇଥିବା ପାହାଡ ପାଖରେ ଯୁବାଖୋଲ ପାହାଡ ରହିଛି । ଯାହାର କିଛି କିଲୋମିଟର ପରେ ଗନ୍ଧମାର୍ଦ୍ଦନ ପାହାଡ ଆରମ୍ଭ ହେଉଛି । ତେଣୂୁ ଯୁବାଖୋଲ ପାହାଡ ଉପରେ ଆଦାନୀ ଆଖି ପକାଇଲାଣି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହୋଇଛି ।