ଢେଙ୍କାନାଳରେ ଘଟିଛି ସିରିଜ ଦୁର୍ଘଟଣା । ପୋଲିସ ଗାଡି ସହ ଅନ୍ୟ ଦୁଇ ଗାଡିକୁ ଧକ୍କା ଦେଇ ରାସ୍ତାରେ ଓଲଟିଲା କାର । ଅଳ୍ପକେ ବର୍ତ୍ତିଲେ ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ଗାଡିରେ ଥିବା ଯାତ୍ରୀ । ସୂଚନା ଅନୁସାରେ, ରବିବାର ଢେଙ୍କାନାଳ ଜିଲ୍ଲାର ପୂର୍ତ୍ତ ବିଭାଗ ରାସ୍ତାର ମହୁଲି ଗାଁ ନିକଟରେ ଘଟିଛି ସିରିଜ ଦୁର୍ଘଟଣା । ମହୁଲି ଗାଁ ନିକଟରେ ଥିବା ଏକ ଢ଼ାବାରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ପୋଲିସ ଗାଡି ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଢେଙ୍କାନାଳ ପଟୁ ଦ୍ରୁତଗତିରେ ଏକ କାର ଆସି ପୋଲିସ ଗାଡିକୁ ଧକ୍କା ହେବା ପରେ ରାସ୍ତାରେ ଯାଉଥିବା ଅନ୍ୟ ଦୁଇଟି ଗାଡିକୁ ମଧ୍ୟ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଧକ୍କା ଦେଇଥିବା କାରଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା ।
ଏହି ସିରିଜ ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି । କିନ୍ତୁ ପୋଲିସ ଗାଡି ସମେତ ଅନ୍ୟ ଦୁଇଟି ଗାଡି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ପୋଲିସ ଗାଡିଟି ଭୁବନେଶ୍ୱରରୁ କମ୍ପ୍ୟୁଟର, ଓ ଅନ୍ୟାନ୍ୟ ଅଫିସ କାଗଜପତ୍ର ନେଇ ରାଉରକେଲା ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି । ଦୁର୍ଘଟଣା ଖବର ପାଇ, ସ୍ଥାନୀୟ ତୁମୁସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡି ଓ ଦୁର୍ଘଟଣା ଘଟଇଥିବା ଗାଡିକୁ ଜବତ କରିଥିଲା । ଏହି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।
ଆଗକୁ ପଢ଼ନ୍ତୁ : ସ୍କୁଟିକୁ ଧକ୍କା ଦେଲା ଅଟୋ