ଆଜି ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଦିନିକିଆ, ସିରିଜ ବିଜୟ ଲକ୍ଷ୍ୟରେ ଉଭୟ ଦଳ
Khabar Odisha:sports-odisha-india-austrellia-final-one-day-today
ନୂଆଦିଲ୍ଲୀ,ମାର୍ଚ୍ଚ ୧୩ (ଖବର ଓଡିଶା):

ଆଜି ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଦିନିକିଆ । ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ  ଏହି ମୁକାବିଲା ଖେଳାଯିବ । ପୂର୍ବ ଚାରୋଟି ମ୍ୟାଚରୁ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତିଥିବା ବେଳେ ଆଜିର ମ୍ୟାଚରେ ଟ୍ରଫି ପାଇଁ ଲଢିବେ ଉଭୟ ଦଳ । ୫ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ପ୍ରଥମ ଦୁଇଚି ମ୍ୟାଚକୁ ଭାରତ ଜିତିଥିବା ବେଳେ ଶେଷ ଦୁଇଟି ମ୍ୟାଚରେ ଦମ୍‌ଦାର କମବ୍ୟାକ କରିଥିଲା ଅଷ୍ଟ୍ରେଲିଆ । 

ସିରିଜ ଏବେ ୨-୨ରେ ବରାବର ଥିବାରୁ ଉଭୟ ଦଳ ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଇଂଲଣ୍ଡରେ ୩୦ ମେ'ରୁ ବିଶ୍ୱକପ ଥିବାରୁ ଭାରତୀୟ ଦଳ ଏହି ସିରିଜରେ ତାର ବିଶ୍ୱକପ ଦଳ ଚୟନରେ ସହଜ ହୋଇଯିବ ବୋଲି ଭାବିଥିବା ବେଳେ ପରିସ୍ଥିତି ପୁରା ଓଲଟି ଯାଇଛି । ଏବେ ଦଳ ନିର୍ଦ୍ଧାରଣ କରିବା ବିସିସିାଇ ପାଇଁ କଠିନ ହୋଇ ପଡିଛି । ସେପଟେ ଯଦି ଭାରତ ସିରିଜ ହାତେଇଥାନ୍ତା, ତା ହେଲେ ହୁଏତ ଅନ୍ତିମ ମ୍ୟାଚରେ ପ୍ଲେଇଙ୍ଗ ଇଲେଭେନରେ ଅତିରିକ୍ତ ଖେଳାଳୀମାନଙ୍କୁ ସୁଯୋଗ ଦେଇପାରିଥାନ୍ତା । ଏବେ ସେ ସୁଯୋଗ ମଧ୍ୟ ଭାରତ ହାତରୁ ଖସିସାରିଛି । ଦିଲ୍ଲୀ ଦିନିକିଆରେ କର ବା ମର ପରିସ୍ଥିତି ଆସିବାରୁ ଏବେ ଭାରତ ଚାନ୍ସ ନେବାକୁ ଚାହିଁବନି । 

ଅନ୍ୟପଟେ ଦୁଇଟି ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଲଗାତର ଭାବେ ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆ ଦଲର ମନୋବଳ ନିଶ୍ଚିତ ଭାବରେ ବଢିଥିବ । ରାଞ୍ଚିରେ ଫିଞ୍ଚଙ୍କ ଫର୍ମ ଫେରିବା ଓ ମୋହାଲିରେ ଟର୍ଣ୍ଣରଙ୍କ ଟର୍ଣ୍ଣିଂ ଇନିଂସ ଅଷ୍ଟ୍ରେଲିଆକୁ ଆହୁରି ଶକ୍ତିଶାଳୀ କରିବା ସ୍ୱଭାଭିକ  । ଏମିତିରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ଭାରତୀୟ ଦଳ ପାଇଁ କେବେବି ସହଜ ହେବ ନାହିଁ । ଅନ୍ୟ ଦିଗକୁ ନଜର ପକାଇଲେ ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଫର୍ମକୁ ଫେରିବା ଭାରତ ପାଇଁ ଭଲ ଖବର  । ଏହି ଯୋଡି ଅଷ୍ଟ୍ରେଲିଆକୁ ବିପଦରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି । ରିଷଭ ପନ୍ତ ଆଜି ପ୍ରଠମଥର ପାଇଁ ନିଜ ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳିବେ । ଖରାପ ୱିକେଟ କିପିଂ ପାଇଁ ସମାଲୋଚନାର ଶିକାର ହୋଇଥିବା ପନ୍ତ, ନିଜକୁ ସଜାଡିବାକୁ ଏକ ବଡ ସୁଯୋଗ ପାଇବେ । ବିଶ୍ୱକପ ପୂର୍ବରୁ ଏହା ତାଙ୍କର ସବୁଠାରୁ ବଡ ପରୀକ୍ଷା ହୋଇପାରେ । ଗତ ମ୍ୟାଚରେ ଭୁବନେଶ୍ୱର କୁମାର ଡେଥ୍‌ ଓଭରରେ ନିରାଶ୍ କରିଥିଲେ । ଆଜି ଯଦି ମହମ୍ମଦ ସାମି ଫିଟ୍ ଥିବେ ତେବେ ଟିମ୍‌ ମ୍ୟାନେଜମେଣ୍ଟ ଭୁବନେଶ୍ୱର କୁମାରଙ୍କ ବଦଳରେ ତାଙ୍କୁ ଖେଳାଇପାରେ । 

ଦିଲ୍ଲୀର ଫିରୋଜ୍ ଶାହା କୋଟଲା ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ଚାରୋଟି ମ୍ୟାଚ ଖେଳାଯାଇଛି । ଏହି ଚାରୋଟି ମ୍ୟାଚରୁ ଭାରତ ତିନୋଟିରେ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ମ୍ୟାଚ ଜିତି ପାରିଛି । ଅହି ଦୃଷ୍ଟିରୁ ଦିଲ୍ଲୀରେ ଭାରତର ସୁଯୋଗ ଅଧିକ ରହିବ । ଅଷ୍ଟ୍ରେଲିଆ ୧୯୯୮ରେ ତାର ଏକମାତ୍ର ବିଜୟ ହାସଲ କରିଥିଲା । ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ, ଫର୍ମକୁ ଫେରିବା ପରେ ରୋହିତ ଶର୍ମା ଓ ଶିଖର ଧାୱନ ଭାରତର ବ୍ୟାଟିଂ ଲାଇନ୍‌କୁ ନୂଆ ମୋଡ ଦେଇପାରନ୍ତି । ସେପଟେ ଗତ ମ୍ୟାଚରେ ଫେଲ ମାରିଥିବା ଭାରତୀୟ ବୋଲିଂ ଆଟାକ୍‌କୁ ସୁଧାରିବାକୁ ଚେଶ୍ଟା କରିବ ବିରାଟ ବାହିନୀ ।

  • Tags:

Subscribe

National International State Sports Entertainment