ମୟଙ୍କଙ୍କ ଶତକ ଓ ପୂଜାରା-କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତର ସ୍ଥିତି ମଜବୁତ
Khabar Odisha:sports--cricket--odisha--india-and-south-africa-seriesindia-vs-south-africa-2nd-test-at-pune
ପୁଣେ,ଅକ୍ଟୋବର୧୦(ଖବର ଓଡ଼ିଶା):

 ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ମଜବୁତ ସ୍ଥିତିରେ ପହଞ୍ଚିଛି। ଟସ୍  ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ମୟଙ୍କ ଅଗ୍ରଓ୍ଵାଲଙ୍କ(୧୦୮) ଦମଦାର ଶତକ ଓ ଚେତେଶ୍ଵର ପୂଜାରା(୫୮) ଓ ବିରାଟ କୋହଲିଙ୍କ ଅପରାଜିତ ୬୩ ରନ ପାଳି ବଳରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ଓ୍ଵିକେଟରେ ୨୭୩ ରନ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକମାତ୍ର ସଫଳ ବୋଲର ଭାବେ କାଗିସୋ ରାବଡା ଏହି ତିନୋଟି ଓ୍ଵିକେଟ୍ ନେଇଛନ୍ତି। କ୍ରିଜରେ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ଆଜିଙ୍କ ରାହାଣେ ୧୮ ରନ କରି ଅପରାଜିତ ଅଛନ୍ତି। ଅମ୍ପାୟର ଖରାପ ଆଲୋକ କାରଣରୁ ପ୍ରଥମ ଦିନର ଖେଳ ୪.୫ ଓଭର ପୂର୍ବରୁ ବନ୍ଦ କରିଛନ୍ତି।

ଗତ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ଦୁଇ ଓପନର ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ଵାଲ ଇନିଂସ ଆରମ୍ଭ କରିଥିଲେ। ବିଶାଖାପାଟଣା ଟେଷ୍ଟରେ ଉଭୟ ଇନିଂସରେ ଶତକ ମାରିଥିବା ରୋହିତ ୧୪ ରନ କରି ରାବାଡ଼଼ାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ମୟଙ୍କ ଓ ଚେତେଶ୍ଵର ପୂଜାରା ବ୍ୟାଟିଂ ସମ୍ଭାଳିଥିଲେ। ଉଭୟ ଦିନର ପ୍ରଥମ ସେସନ ସୁଦ୍ଧା ଭାରତର ସ୍କୋର ୭୭ ରନରେ ପହଞ୍ଚାଇଥିଲେ।

ମଧ୍ୟାହ୍ନ ଭୋଜନ ବିରତି ପରେ ମୟଙ୍କ ଓ ପୂଜାରା ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୩୮ ରନ ଯୋଡ଼ିଥିଲେ। ଏହା ମଧ୍ୟରେ ଦୁଇ ବ୍ୟାଟସମ୍ୟାନ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି କ୍ରମରେ ପୂଜାରା ବ୍ୟକ୍ତିଗତ ୫୮ ରନରେ ଆଉଟ୍ ହୋଇଥିଲେ। ନିଜର ଅର୍ଦ୍ଧଶତକୀୟ ଇନିଂସରେ ପୂଜାରା ୯ ଚୌକା ଓ ୧ ଛକା ମାରିଥିଲେ। ପୂଜାରାଙ୍କ ପରେ ବିରାଟ କୋହଲି ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଦ୍ଵିତୀୟ ଅଧିବେଶନର ଖେଳ ଶେଷ ସୁଦ୍ଧା ମୟଙ୍କ ୮୬ ଓ କୋହଲି  ୦ ରନ କରିଥିଲେ। 

ତୃତୀୟ ଅଧିବେଶନ ଆରମ୍ଭରୁ ମୟଙ୍କ ଅଚାନକ ଦ୍ରୁତ ବ୍ୟାଟିଂ କରି ରନ ଗତି ବଢାଇଥିଲେ। ସେ କେଶ ମହାରାଜଙ୍କୁ କ୍ରମାଗତ ୨ଟି ଛକା ମାରି ନିଜ ସ୍କୋରକୁ ୯୯ରେ ପହଞ୍ଚାଇଥିଲେ ଏବଂ ପରବର୍ତ୍ତୀ ଓଭରରେ ଫିଲାଣ୍ଡରଙ୍କୁ ଚୌକା ମାରି ନିଜର ଦ୍ଵିତୀୟ ଶତକ ପୂରା କରିଥିଲେ।  ଏହି ପରି କ୍ରମାଗତ ଦୁଇଟି ଟେଷ୍ଟରେ ମୟଙ୍କ ନିଜର ଶତକ ପୂରଣ କରିଥିଲେ। ମାତ୍ର ସେ ନିଜ ପାଳିକୁ ଆଗକୁ ବଢାଇ ପାରିନଥିଲେ। ସେ ବ୍ୟକ୍ତିଗତ ୧୦୮ ରନ କରି କାଗିସୋ ରାବଡ଼ାଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଏହି ଶତକୀୟ ଇନିଂସରେ ଅଗ୍ରଓ୍ଵାଲ ୨ ଛକା ଓ ୧୬ ଚୌକା ମାରିଥିଲେ। 

ଏହା ପରେ ଅଧିନାୟକ ବିରାଟ କୋହଲି ଉପଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ସହିତ ପ୍ରଥମ ଦିନର ଖେଳ ଶେଷ ପର୍ଯ୍ୟନ୍ତ କ୍ରିଜରେ ଜମି  ରହିଥିଲେ। ଉଭୟ ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରିଥିଲେ। ପରେ ବିରାଟ କୋହଲି ରନଗତିକୁ ବଢାଇଥିଲେ ଏବଂ ୧୦୫ ବଲରୁ ୧୦ ଚୌକା ଜରିଆରେ ୬୩ ରନ କରି ଅପରାଜିତ ଅଛନ୍ତି। ଅନ୍ୟପଟେ ରାହାଣେ ଧୈର୍ଯ୍ୟର ସହ ବ୍ୟାଟିଂ କରି ୭୦ ବଲରୁ ୧୮ ରନ କରି କ୍ରିଜରେ ଅଛନ୍ତି। 

Subscribe

National International State Sports Entertainment