ବିଶାଖାପଟନମ: କ୍ଵିଣ୍ଟନ ଡିକକଙ୍କ ଶତକ ପରେ କୁଲଦୀପଙ୍କ ଯାଦବଙ୍କ ଶାଣିତ ବୋଲିଂର ମୁକାବିଲା କରି ନ ପାରି ଦକ୍ଷିଣ ଆଫ୍ରିକା ୩୦୦ ସ୍କୋର କରି ପାରିନି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୪୭.୫ ଓଭରରେ ୨୭୦ ରନ କରିଛି। ସିରିଜ୍ ଜିତିବା ପାଇଁ ଭାରତକୁ ଦରକାର ୨୭୧ ରନ। ଡିକକ୍ ୧୦୫ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଅଧିନାୟକ ତେମ୍ବା ବାଭୁମା ୪୮ ରନ କରିଥିଲେ। ବୋଲିଂରେ କୁଲଦୀପ ଯାଦବ ୪ଟି ଓ ପ୍ରସିଦ୍ଧ କୃଷ୍ଣା ୪ଟି ଓ୍ଵିକେଟ୍ ନେଇଛନ୍ତି। ଏକଦା ୧୬୮ ରନରେ ୨ ଓ୍ଵିକେଟ୍ ହରାଇ ମଜବୁତ ସ୍ଥିତିରେ ଥିବା ଦକ୍ଷିଣ ଆଫ୍ରିକା ଅବଶିଷ୍ଟ ୮ ଓ୍ଵିକେଟ୍ ୧୦୨ ରନରେ ହରାଇଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ନିରାଶଜନକ ଥିଲା। ପ୍ରଥମ ଓଭରରେ ରିୟାନ ରିକଲଟନ(୦) ଅର୍ଶଦୀପ ସିଂଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ କ୍ଵିଣ୍ଟନ ଡିକକ୍ ଓ ଅଧିନାୟକ ତେମ୍ବା ବାଭୁମା ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ରନ ଗତି ଆଗକୁ ବଢାଇଥିଲେ। ଗୋଟିଏ ପଟେ ଡିକକ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ୨ୟ ଓ୍ଵିକେଟ୍ ଭାଗିଦାରୀରେ ୧୧୩ ରନ ଯୋଡ଼ିଥିଲେ। ତେମ୍ବା ବାଭୁମା ୪୮ ରନ କରି ଜାଡ଼େଜାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଡିକକ ଓ ମାଥ୍ୟୁ ବ୍ରିଟଜକେ ୩ୟ ଓ୍ଵିକେଟ୍ ପାଇଁ ୫୪ ରନ ଯୋଡ଼ିଥିଲେ।
୨ ଓ୍ଵିକେଟ୍ ହରାଇ ୧୬୮ ରନ କରି ମଜବୁତ ସ୍ଥିତିରେ ଥିବା ଦକ୍ଷିଣ ଆଫ୍ରିକା କୁଲଦୀପ ଯାଦବଙ୍କ ବୋଲିଂର ମୁକାବିଲା କରି ପାରି ନ ଥିଲା। ଡିକକ ୧୦୫ ରନର ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ। ଏଥିରେ ୮ ଚୌକା ଓ ୬ ଛକା ସାମିଲ୍। ମାଥ୍ୟୁ ବ୍ରିଟଜକେ ୨୪ ରନ କରି ଆଉଟ୍ ହୋଇଥିଲେ। କୁଲଦୀପ ଓ ପ୍ରସିଦ୍ଧ କୃଷ୍ଣା ଭ୍ରମଣକାରୀ ଦଳର ମଧ୍ୟକ୍ରମର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୪୭.୫ ଓଭରରେ ୨୭୦ ରନରେ ଅଲଆଉଟ୍ ହୋଇଛି। ଶେଷ ଆଡ଼କୁ କେଶବ ମହାରାଜା ୨୦ ରନ କରି ଅପରାଜିତ ଥିଲେ। ବୋଲିଂରେ କୁଲଦୀପ ଯାଦବ ୪୧ ରନ ଦେଇ ୪ଟି ଓ୍ଵିକେଟ୍ ଓ ପ୍ରସିଦ୍ଧ କୃଷ୍ଣା ୬୬ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି।
Also Read: ଦୁଇ ବର୍ଷ ଓ ୨୦ ମ୍ୟାଚ୍ ପରେ ଦିନିକିଆରେ ଟସ୍ ଜିତିଲା ଭାରତ, ଏମିତି କାମ କଲେ କେଏଲ ରାହୁଲ