ଏସୀୟ ଗେମ୍ସର ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଯାଇଛି ଏବଂ ପ୍ରଥମ ମ୍ୟାଚ୍ ରେ ନେପାଳ ଏଭଳି ରେକର୍ଡ କରିଛି ଯାହା କେହି ଆଶା କରି ନଥିବେ । ନେପାଳ ଦଳ ଟି -୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସର୍ବାଧିକ ସ୍କୋର କରି ଇତିହାସ ସୃଷ୍ଟି କରିଛି। ଦୀପେନ୍ଦ୍ର ସିଂ ଏପରି କିଛି କରିଛନ୍ତି ଯାହା କଳ୍ପନା କରାଯାଇ ନପାରେ। ସେ ମାତ୍ର ୯ ବଲରେ ପଚାଶ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି । ସେ ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ଯୁବରାଜ ସିଂଙ୍କ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି। କୁଶଲ ମଲା ଆଟାକିଙ୍ଗ ବ୍ୟାଟିଂ କରି ଛୋଟ ପଡ଼ିଆର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ। କୁଶଲ ମାଲା ୩୪ ବଲରେ ଶତକ ହାସଲ କରି ଟି -୨୦ ଇଣ୍ଟରନ୍ୟାସନାଲରେ ଦ୍ରୁତତମ ଶତକର ରେକର୍ଡ ସୃଷ୍ଟି କରିଛନ୍ତି। ଡେଭିଡ ମିଲର ଏବଂ ରୋହିତ ଶର୍ମା ୩୫ ବଲରେ ଶତକ ହାସଲ କରିଥିଲେ। ୮ଟି ଚୌକା ଓ ୧୨ଟି ଛକା ସହ ୫୦ ଟି ବଲରେ ୧୩୭ ରନରେ ଅପରାଜିତ ରହିଥିଲେ ।
ମୋଙ୍ଗୋଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିର୍ଣ୍ଣୟ ନେଇଥିଲେ ଏବଂ ଏହି ନିର୍ଣ୍ଣୟ ମୋଙ୍ଗୋଲିଆର ସବୁଠୁ ବଡ ଭୁଲ ଥିଲା । ନେପାଳର ଖେଳାଳିମାନେ ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଏକ ବିସ୍ଫୋରଣ ସୃଷ୍ଟି କରିଥିଲେ । ତେବେ କୁଶଲ ଭୁରଟେଲ ୧୯ ରନ୍ ଏବଂ ଆସିଫ ଶେଖ ୧୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଆଉ ଏହାହିଁ ଥିଲା ବାତ୍ୟା ପୂର୍ବର ଶାନ୍ତି । ଏହା ପରେ ଦୀପେନ୍ଦ୍ର ଓ କୁଶଲ ମଲା ବିସ୍ପୋରକ ବ୍ୟାଟିଂ କରି ଇତିହାସ ସୃଷ୍ଟି କରିଛନ୍ତି । ଆଉ ଏହା ସହିତ ଟି-୨୦ ଇତିହାସରେ ସର୍ବାଧିକ ସ୍କୋର ମଧ୍ୟ ସଂଗ୍ରହ କରିଛି ନେପାଳ । ୨୦ ଓଭରରେ ୩୧୪ ରନ କରି ଇତିହାସ ସୃଷ୍ଟି କରିଛି ନେପାଳ ।
ଅଧିକ ପଢନ୍ତୁ: ୩୦ ସେପ୍ଟେମ୍ବରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ ୱାର୍ମଅପ ମ୍ୟାଚ