ଚଳିତ ଆଇପିଏଲ ସିଜିନର ପ୍ରଥମ କ୍ୱାଲିଫାୟାରରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡ଼ର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଦୁଇ ଦଳ ପଏଣ୍ଟସ ଟେବୁଲର ଶୀର୍ଷରେ ଥିବାରୁ ପ୍ରଥମ କ୍ୱାଲିଫାୟାରର ଖେଳିବେ । ତେବେ ଆଜିର ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦରେ ଖେଳାଯିବ । କୋଲକାତା ନାଇଟ ରାଇଡ଼ର୍ସ ଚଳିତ ସିଜିନରେ ୧୪ ଟି ମ୍ୟାଚରୁ ୯ ଟି ବିଜୟ ହାସଲ କରିଛି ୩ ଟି ପରାଜୟ ହାସଲ କରିଛି ଏବଂ ୨ଟି ମ୍ୟାଚରେ କୌଣସି ଫଳାଫଳ ମିଳିପାରିନାହିଁ । ସେହିପରି ସନରାଇଜର୍ସ ହାଇଦ୍ରାବାଦ ୧୪ ଟି ମ୍ୟାଚ ରୁ ୮ ଟି ବିଜୟ ହାସଲ କରିଥିବାବେଳେ ୫ ଟି ମ୍ୟାଚରେ ପରାଜୟର ସାମ୍ନା କରିଛି ଏବଂ ଗୋଟିଏ ମ୍ୟାଚରେ କୌଣସି ଫଳାଫଳ ମିଳିପାରିନାହିଁ ।
ତେବେ ପ୍ରଥମ କ୍ୱାଲିଫାୟାରରେ ବିଜୟୀ ଦଳ ସିଧା ସଳଖ ଫାଇନାଲରେ ପ୍ରବେଶ କରିବ ଏବଂ ଯେଉଁ ଦଳ ପରାସ୍ତ ହେବ ତାଙ୍କୁ ଫାଇନାଲରେ ପ୍ରବେଶ କରିବାକୁ ଆଉ ଏକ ସୁଯୋଗ ମିଳିବ । କ୍ୱାଲିଫାୟାର ୧ ରେ ପରାସ୍ତ ହୋଇଥିବା ଦଳ କ୍ୱାଲିଫାୟାର ୨ ରେ ଏଲୀମିନେଟରର ବିଜେତା ସହ ଲଢେଇ କରିବ ।
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବ୍ୟାଟ୍ସମ୍ୟାନ ମାନଙ୍କୁ ସାହାଯ୍ୟ କରୁଥିବାବେଳେ ଦ୍ରୁତ ବୋଲର ମାନଙ୍କୁ ମଧ୍ୟ ସାହାଯ୍ୟ ମିଳିଥାଏ । କିନ୍ତୁ ଏହି ଗ୍ରାଉଣ୍ଡରେ ବଡ଼ ସ୍କୋର ମଧ୍ୟ ଦେଖିବାକୁ ମିଳିଥାଏ । ନୂଆ ବଲରେ ଦ୍ରୁତ ବୋଲରମାନଙ୍କୁ ସାହାଯ୍ୟ ମିଳିଥାଏ, କିନ୍ତୁ ଧୀରେ ଧୀରେ ପିଚ୍ ସ୍ପିନରଙ୍କ ପାଇଁ ମଧ୍ୟ ସହାୟକ ହୁଏ । ତଥାପି, ଏଠାରେ ଚେଜ କରିବ ସହଜ ହୋଇଥାଏ ତେଣୁ ଏଭଳି ପରିସ୍ଥିତିରେ ଟସ୍ ଜିତି ଦଳ ପ୍ରଥମେ ବୋଲିଂ କରିବାକୁ ଚାହିଁବ।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୋଟ ୩୩ ଟି ମ୍ୟାଚ୍ ଆଇପିଏଲ୍ ଆୟୋଜିତ ହୋଇଛି ଯେଉଁଥିରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୧୫ ଟି ମ୍ୟାଚ ଜିତିଥିବାବେଳେ ଚେଜ କରୁଥିବା ଦଳ ୧୮ ଟି ମ୍ୟାଚରେ ବିଜୟ ହାସଲ କରିଛି । ଏଠାରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୬୮ ରନ ହୋଇଥିବାବେଳେ ଏହି ଗ୍ରାଉଣ୍ଡରେ ସର୍ବାଧିକ ସ୍କୋର ହେଉଛି ୨୩୩ ରନ, ଯାହା ଗୁଜୁରାଟ ଟାଇଟାନ୍ସ ଦ୍ୱାରା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ କରାଯାଇଥିଲା। ଦୁଇ ଦଳ ପୂର୍ବରୁ ୨୬ ଥର ଭେଟ ହୋଇଥିବାବେଳେ କୋଲକାତା ୧୭ ଥର ମ୍ୟାଚ ଜିତିଛି ଏବଂ ହାଇଦ୍ରାବାଦ ୯ ଥର ମ୍ୟାଚ ଜିତିଛି ।
ଅଧିକ ପଢନ୍ତୁ : ଆଇପିଏଲ୍-୨୦୨୪: ଶେଷ ଲିଗ୍ ମ୍ୟାଚ୍ରେ ଦମ୍ଭ ଦେଖାଇଲା ହାଇଦ୍ରାବାଦ୍, ପଂଜାବ ବିପକ୍ଷରେ ବିଜୟୀ