ଗତ ମାସରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରା ଚମତ୍କାର ପ୍ରଦର୍ଶନ କରିଥିଲେ। ଫାଇନାଲରେ ବୁମରାଙ୍କ ବୋଲିଂ ବଳରେ ଭାରତ ମ୍ୟାଚ ଜିତିଥିଲା। ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜସପ୍ରୀତ ବୁମରା ପ୍ଲେୟାର ଅଫ ଦ ଟୁର୍ନାମେଣ୍ଟ ଭାବରେ ବିବେଚିତ ହୋଇଥିଲେ । ବର୍ତ୍ତମାନ ବୁମରା ଆଉ ଏକ କୀର୍ତ୍ତିମାନ ରଚିଛନ୍ତି । ସେ ଆଇସିସି ପୁରୁଷ ପ୍ଲେୟାର ଅଫ ଦ ମଂଥ(ଜୁନ ମାସର ସର୍ବଶ୍ରେଷ୍ଠ ଖେଳାଳି) ଟାଇଟେଲ୍ ଜିତିଛନ୍ତି। ରୋହିତ ଶର୍ମା ଓ ରେହମନୁଲ୍ଲା ଗୁରୁବାଜଙ୍କୁ ପଛରେ ପକାଇ ଏହି ଟାଇଟେଲ ଜିତିଛନ୍ତି ଭାରତୀୟ ଦ୍ରୁତ ବୋଲର ।
ଟି -୨୦ ବିଶ୍ୱକପ ୨୦୨୪ ରେ, ବୁମରା ନିଜ ବୋଲିଂରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଧରାଶାୟୀ କରିଦେଇଥିଲେ । ସେ ୮.୨୬ ହାରାହାରି ଏବଂ ୮ ଟି ମ୍ୟାଚର ୮ ଟି ଇନିଂସରେ ୧୫ ଟି ୱିକେଟ ନେଇଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିଲେ। ଆଫଗାନିସ୍ତାନର ଫଜଲହକ୍ ଫାରୁକି ଏବଂ ଅର୍ଶଦୀପ ସିଂ ମିଳିତ ଭାବେ ଏହି ତାଲିକାରେ ୧୭ ଟି ୱିକେଟ୍ ନେଇ ପ୍ରଥମ ସ୍ଥାନରେ ଥିଲେ।
ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ ର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ବିପକ୍ଷରେ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ବୁମରା ୨ ଟି ୱିକେଟ୍ ନେଇଥିଲେ। ଏହାସହ ପାକିସ୍ତାନ ବିପକ୍ଷରେ ୩ ଟି ୱିକେଟ୍ ନେଇଥିଲେ। ଆମେରିକା ବିପକ୍ଷ ମ୍ୟାଚରେ ସେ କୌଣସି ୱିକେଟ୍ ପାଇନଥିଲେ। ସୁପର-୮ ରେ ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ୩ ଟି ୱିକେଟ୍, ବାଂଲାଦେଶ ବିପକ୍ଷ ମ୍ୟାଚରେ ୨ ଟି ୱିକେଟ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଗୋଟିଏ ୱିକେଟ୍ ନେଇଥିଲେ। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ବୁମ୍ରା ୨ ଟି ୱିକେଟ୍ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ୨ ଟି ୱିକେଟ୍ ନେଇଥିଲେ।
ଅଧିକ ପଢନ୍ତୁ : ନିର୍ଣ୍ଣାୟକ ମ୍ୟାଚ ପାଇଁ ପ୍ରସ୍ତୁତ ଭାରତୀୟ ମହିଳା ଦଳ