ଭାରତୀୟ ମହିଳା କ୍ରିକେଟ ଦଳ ଆଜି ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ଖେଳିବ। ଏହି ମ୍ୟାଚରେ ସିରିଜର ନିର୍ଣ୍ଣୟ ହେବ । ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ ଜିତି ୧-୦ ରେ ଆଗୁଆ ରହିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ ବର୍ଷା ହେତୁ ବାତିଲ ହୋଇଥିଲା। ଏହି ମ୍ୟାଚ ଜିତି ଭାରତ ସିରିଜ ଡ୍ର କରିବାକୁ ଚେଷ୍ଟା କରିବ।ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ ଜିତିଲେ ୨-୦ ରେ ସିରିଜରେ ବିଜୟ ହାସଲ କରିବ । ଦ୍ଵିତୀୟ ମ୍ୟାଚ ପରି, ଯଦି ଆଜିର ମ୍ୟାଚରେ ବର୍ଷା ହୁଏ ଏବଂ ମ୍ୟାଚ ବାତିଲ ହୁଏ, ତେବେ ଦକ୍ଷିଣ ଆଫ୍ରିକା ଏହି ସିରିଜ୍ ୧-୦ ରେ ଜିତିବ ।
କିଭଳି ରହିବ ଏମ ଚିଦାମ୍ବରମ୍ ଷ୍ଟାଡିୟମର ପିଚ୍ !
ଯଦି ଆମେ ଚିପକ୍ ପିଚ୍ ବିଷୟରେ କଥା ହେବା, ତେବେ ଏହି ପିଚ୍ ସ୍ପିନର ମାନଙ୍କୁ ସାହାଯ୍ୟ କରିଥାଏ । ଏହି ପିଚ୍ରେ ବଲ ଭଲ ସ୍ପିନ ହୋଇଥାଏ ଏବଂ ବଲ୍ ବ୍ୟାଟକୁ ଆସିବାକୁ ସାମାନ୍ୟ ଅଧିକ ସମୟ ଲାଗୁଥାଏ । ଯେଉଁଥିପାଇଁ ବ୍ୟାଟ୍ସମ୍ୟାନମାନେ ଖେଳିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ବ୍ୟାଟ୍ସମ୍ୟାନମାନେ ପିଚ୍ରେ ସମୟ ବିତାଇବା ପରେ ଭଲ ସ୍କୋର କରିବାକୁ ସୁଯୋଗ ମିଳିଥାଏ , ଯାହା ପ୍ରଥମ ଟି-୨୦ ମ୍ୟାଚରେ ଦେଖାଯାଇଥିଲା । କିନ୍ତୁ ନିକଟରେ ହୋଇଥିବା ବର୍ଷା ବ୍ୟାଟିଂ ପାଇଁ ସାମାନ୍ୟ କଷ୍ଟସାଧ୍ୟ ହୋଇପାରେ। ଏଭଳି ପରିସ୍ଥିତିରେ ଭାରତୀୟ ସ୍ପିନରଙ୍କ ଉପରେ ନଜର ରହିବ।
ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସି ପୂର୍ବରୁ ୩ ଟି ଦିନିକିଆ ମ୍ୟାଚ ଓ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିସାରିଛି । ଦିନିକିଆ ସିରିଜରେ ଭାରତ ୩-୦ ରେ ବିଜୟ ହାସଲ କରି ସିରିଜ ଜିତିଛି । ଏହି ସମୟରେ ଏକ ମାତ୍ର ଟେଷ୍ଟ ଖେଳାଯାଇଥିଲା ଯେଉଁଥିରେ ଭାରତ ୧୦ ୱିକେଟ୍ ରେ ବିଜୟ ହାସଲ କରିଥିଲା । ଏହା ପରେ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି । ତେବେ ଆଜି ଖେଳାଯିବାକୁ ଥିବା ୩ ୟ ମ୍ୟାଚରେ ସିରିଜର ନିର୍ଣ୍ଣୟ ହେବ ।
ଅଧିକ ପଢନ୍ତୁ : ଅଭିଷେକ ଶର୍ମାଙ୍କ ଶତକ, ବୋଲରଙ୍କ ଘାତକ ପ୍ରଦର୍ଶନ: ୨ୟ ଟି-୨୦ରେ ଜିମ୍ବାୱେ ବିପକ୍ଷରେ ଭାରତ ୧୦୦ ରନ୍ରେ ବିଜୟୀ