ପ୍ୟାରିସ୍: ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ଭାରତ ନିଜର ଅଭିଯାନ ରଖିଛି । ପଞ୍ଚମ ଦିନରେ ସୋମବାର ଭାରତର ପଦକ ତାଲିକାରେ ଆଉ ଏକ ଅଙ୍କ ଯୋଡ଼ି ହୋଇଛି । ଦେଶକୁ ମିଳିଛି ଅଷ୍ଟମ ପଦକ । ପୁରୁଷ ଡିସ୍କସ୍ ଥ୍ରୋ ଏଫ୫୬ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି ଯୋଗେଶ କଥୁନିୟା । ଲଗାତର ଭାବେ ଦ୍ଵିତୀୟ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ । ଏହା ପୂର୍ବରୁ ସେ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ରୌପ୍ୟ ଜିତିଥିଲେ।
୨୭ ବର୍ଷୀୟ ଯୋଗେଶ ୪୨.୨୨ ମିଟର ଡିସକସ୍ ଥ୍ରୋ କରି ରୌପ୍ୟ ପଦକ ହାସଲ କରିଛନ୍ତି । ତେବେ ବ୍ରାଜିଲର ବତିସ୍ତା ଡସ୍ ସାଣ୍ଟୋସ୍ କ୍ଲାଉଡିନି ୪୬.୮୬ ମିଟର ସ୍କୋର କରି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଗ୍ରୀସ୍ର ଜୋନିସ୍ କନ୍ଷ୍ଟାଣ୍ଟିନୋସ୍ ୪୧.୩୨ ମିଟର ଥ୍ରୋ ସହିତ କାଂସ୍ୟ ପଦକ ଜିତିଛନ୍ତି ।
ଯୋଗେଶ କଥୁନିୟାଙ୍କ ପିତାମାତା ଚାହୁଁଥିଲେ ଯେ ସେ ଜଣେ ଡାକ୍ତର ହୁଅନ୍ତୁ, କିନ୍ତୁ ଭାଗ୍ୟର ବିଡ଼ମ୍ବନା । ଯେତେବେଳେ ସେ 9 ବର୍ଷ ବୟସର ହୋଇଥିଲେ ସେତେବେଳେ ଏକ ପାର୍କରେ ଖେଳୁଥିବାବେଳ ପଡ଼ି ଯାଇଥିଲେ । ଫଳରେ ତାଙ୍କଠାରେ ସ୍ନାୟୁଗତ ସମସ୍ୟା ଦେଖା ଦେଇଥିଲା । ସେ ଚାଲିବୁଲି ପାରିଲେ ନାହିଁ ଏବଂ ମାଂସପେଶୀ ମଧ୍ୟ ଦୁର୍ବଳ ହୋଇଗଲା । ସେ ଅନୁଭବ କଲେ ଯେ ସେ ପୁନର୍ବାର ଚାଲିବାକୁ ସମର୍ଥ ହେବେ ନାହିଁ । କିନ୍ତୁ ଫିଜିଓଥେରାପି ସମେତ ଅନେକ ବର୍ଷର ଚିକିତ୍ସା ପରେ ସେ ଏକ କ୍ରଚ୍ ସାହାଯ୍ୟରେ ଠିଆ ହୋଇଥିଲେ ।