ପୁଣେ: ନ୍ୟୁଜିଲାଣ୍ଡ ପୁଣେ ଟେଷ୍ଟ ଜିତି ଭାରତ ବିପକ୍ଷ ଟେଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି । ଘରୋଇ ମାଟିରେ ଦୟନୀୟ ପ୍ରଦର୍ଶନ କରି ଭାରତ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ୍ ହାରିବାରୁ ଦଳର ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ ଖେଳିବାର ଆଶା ଉପରେ ଜୋରଦାର ଝଟକା ଲାଗିଛି । ଦ୍ୱିତୀୟ ଟେଷ୍ଟ ହାରିବା ପରେ ବି ଭାରତୀୟ ଦଳ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି । ମାତ୍ର ଫାଇନାଲ୍ ଦୌଡ ପୂର୍ବ ତୁଳନାରେ ଆହୁରି ରୋଚକ ହୋଇ ଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଆଉ ଗୋଟିଏ ଟେଷ୍ଟ ଖେଳିବା ପରେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରି ସେଠାରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବ । ଏମିତିରେ ଆସନ୍ତୁ ଜାଣିବା ଭାରତର ସେମି ଫାଇନାଲ୍ ଯିବାର ସମୀକରଣ କଣ ରହିଛି ?
ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଟେଷ୍ଟ ମୁମ୍ବାଇରେ ନଭେମ୍ବର ୧ରୁ ଖେଳିବ । ଏହା ପରେ ନଭେମ୍ବର ୨୨ରୁ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବ । ସଂପ୍ରତି ଭାରତ ୬୨.୮୨ ବିଜୟ ପ୍ରତିଶତ ସହ ତାଲିକାରେ ଶୀର୍ଷରେ ରହିଛି । ଅନ୍ୟପଟେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୬୨.୫ ରହିଛି । ଏହାର ଅର୍ଥ ଆଉ ଗୋଟିଏ ପରାଜୟ ଭାରତକୁ ଦ୍ୱିତୀୟ ସ୍ଥାନକୁ ନେଇ ଆସିବ ।
ଡବ୍ଲ୍ୟୁଟିସିର ଦ୍ୱିତୀୟ ଚକ୍ରରେ ଭାରତ ହାତରେ ଆଉ ୬ଟି ଟେଷ୍ଟ ଖେଳିବା ବାକି ରହିଛି । ଯଦି ଭାରତ ବିନା କୌଣସି ସମସ୍ୟାରେ ଫାଇନାଲ୍ ଯିବାକୁ ଚାହୁଁଛି ତେବେ ଆଗାମୀ ୬ ମ୍ୟାଚରୁ ୪ଟି ଜିତିବାକୁ ପଡିବ । ଯଦି ଭାରତ ଶେଷ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ହରାଏ ତେବେ ଅଷ୍ଟ୍ରେଲିଆ ମାଟିରେ ଅତି କମରେ ୩ଟି ମ୍ୟାଚ୍ ଜିତିବାକୁ ପଡିବ । ଯଦି ଦଳ ଏମିତି କରିବାରେ ବିଫଳ ହୁଏ ତେବେ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ ।
ଏ ପର୍ଯ୍ୟନ୍ତ୍ ଖେଳା ଯାଇଥିବା ଦୁଇଟି ଡବ୍ଲ୍ୟୁଟିସି ଫାଇନାଲରେ ଭାରତ ପ୍ରଥମ ଥର ଫାଇନାଲ୍ ଖେଳିଛି । ୨୦୨୧ରେ ଖେଳା ଯାଇଥିବା ଫାଇନାଲରେ ଭାରତକୁ ଏହି ନ୍ୟୁଜିଲାଣ୍ଡ ଦଳ ୮ ୱିକେଟରେ ହରାଇଥିଲା । ପୁଣି ୨୦୨୩ ଫାଇନାଲ୍ ଖେଳିଥିଲେ ହେଁ କଙ୍ଗାରୁ ହାତରୁ ୨୦୯ ରନରେ ପରାଜୟର ମୁହଁ ଦେଖିବାକୁ ପଡିଥିଲା । ଭାରତ ଏ ପର୍ଯ୍ୟନ୍ତ ଦୁଇଟି ଡବ୍ଲ୍ୟୁଟିସି ଫାଇନାଲ୍ ଖେଳିବାରେ ଏକ ମାତ୍ର ଦେଶ ହୋଇଛି ।