ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ ବଡ ପ୍ରଶ୍ନ ଚିହ୍ନ ହୋଇ ରହିଛି । କ୍ରୀଡାସୂଚୀ ଉପରେ ଆଇସିସି ମୋହର ମାରିଥିଲେ ସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଭାରତ ପାକିସ୍ତାନ ଗସ୍ତ କରିବ କି ନାହିଁ । ବିସିସିଆଇର ସଂପାଦକ ପଦ ସମ୍ଭାଳିଥିବା ଜୟ ଶାହ ଆଇସିସିର ଅଧ୍ୟକ୍ଷ ହୋଇ ସାରିଛନ୍ତି । ତାଙ୍କ ପାଇଁ ଚାମ୍ପିଅନ୍ସ ଟ୍ରଫିର ଏହି ବିବାଦର ସମାଧାନ କରିବା ମୁସ୍କିଲ ହୋଇପାରେ ।
ଡିସେମ୍ବର ୧ ତାରିଖରେ ଜୟ ଶାହ ଆଇସିସି ଚେୟାରମ୍ୟାନର କାର୍ଯ୍ୟଭାର ସମ୍ଭାଳିବେ । ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବା ପରେ ବି ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ସ୍ଥିର ହୋଇ ପାରିନି । ତେବେ ବିସିସିଆଇର ଅଧିକାରୀ କହିଛନ୍ତି, ଏହା ତାଙ୍କ ହାତର କଥା ନୁହେଁ । ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ ତାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର ।ତଥାପି ଜୟ ଶାହଙ୍କ ପାଇଁ ଏହି କାମ ବହୁତ ମୁସ୍କିଲ ଲାଗୁଛି ।
ବିସିସିଆଇ ଅଧିକାରୀ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫିକୁ ନେଇ କୌଣସି ଆଲୋଚନା ହୋଇ ନାହିଁ । ଆମର ଆଭିମୁଖ୍ୟ ସ୍ପଷ୍ଟ ରହିଛି । ସରକାର ଯାହା ଚାହିଁବେ ତାହା ହେବ । କିନ୍ତୁ ଜୟ ଶାହଙ୍କ ପାଇଁ ଏହା ମୁସ୍କିଲ କାମ ରହିବ କାରଣ ସେ ଆଇସିସିର ମୁଖ୍ୟ । ସେ ଆଶା କରିବେ ଯେ, ଭାରତର ମ୍ୟାଚଗୁଡିକ ନିରପେକ୍ଷ ସ୍ଥାନରେ ଖେଳାଯାଉ । ଆଇସିସି ଅଧ୍ୟକ୍ଷ ଭାବେ ଜୟ ଶାହଙ୍କୁ ନିଜ ପିତା ଏବଂ ସରକାରଙ୍କ ଆଭିମୁଖ୍ୟକୁ ବଦଳାଇବାକୁ ପଡିବ ।