ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଶୀଘ୍ର ଭାରତୀୟ ଦଳ ଘୋଷଣା ହେବ । ତେବେ ଖେଳାଳିଙ୍କ ପ୍ରଦର୍ଶନକୁ ଦେଖି ଦଳ ଘୋଷଣା କରାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରେ ବିରାଟ କୋହଲି ଓ ଯଶସ୍ୱୀ ଜୟସ୍ୱାଲଙ୍କ ସ୍ଥାନ ଆପାତତଃ ସ୍ପଷ୍ଟ । ମାତ୍ର ଅନେକ ଖେଳାଳିଙ୍କୁ ଦଲୀପ ଟ୍ରଫିର ପ୍ରଦର୍ଶନ ଆଧାରରେ ଚୟନ କରାଯିବ । ଖେଳାଳିଙ୍କୁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ହେଲେ ଭଲ ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିବାକୁ ପଡିବ ।
ସେପ୍ଟେମ୍ବର ୫ ତାରିଖରୁ ଦଲୀପ ଟ୍ରଫି ଆରମ୍ଭ ହେବାକୁ ଯାଉଛି । ଏଥିରେ ଶ୍ରେୟସ ଆୟର, ଇଶାନ କିଶନ, କେଏସ ଭରତ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ଯଶସ୍ୱୀ ଓ ସରଫରାଜ ଖାନ ସମେତ ଭାରତୀୟ ଦଳର ଅନେକ ଖେଳାଳି ସାମିଲ ହୋଇଛନ୍ତି । ବିସିସିଆଇର ଚୟନକର୍ତ୍ତା ଏହି ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିବେ । ବାାଂଦେଶ ବିପକ୍ଷ ଟେଷ୍ଟ ସିରିଜରେ ସେହି ଖେଳାଳିଙ୍କୁ ସ୍ଥାନ ମିଳିବ ଯିଏ ଫିଟ୍ ଥିବେ ଏବଂ ଭଲ ପ୍ରଦର୍ଶନ କରିିବେ ।
ସରଫରାଜଙ୍କ ଉପରେ ନଜର ପକାଇଲେ ଏହି ଖେଳାଳି ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ ୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ସେ ୩ ଅର୍ଦ୍ଧଶତକ ଜରିଆରେ ୨୦୦ ରନ କରିଛନ୍ତି । ସରଫରାଜଙ୍କୁ ବାଂଲାଦେଶ ବିପକ୍ଷ ସିରିଜରେ ସୁଯୋଗ ଦିଆଯାଇପାରେ । ୱିକେଟ୍ କିପର ବ୍ୟାଟର କେଏସ ଭରତଙ୍କ ମୁକାବିଲା ଋଷଭ ପନ୍ତଙ୍କ ସହ ରହିଛି । ଭାରତୀୟ ଦଳ ପନ୍ତଙ୍କୁ ପ୍ରାଥମିକତା ଦେଇ ପାରନ୍ତି । ଭାରତ ଭାରତ ପାଇଁ ୭ଟି ଟେଷ୍ଟ ଖେଳି ୨୨୧ ରନ କରିଛନ୍ତି । ଯଦି ସେ ଦଲୀପ ଟ୍ରଫିରେ ପ୍ରଭାବଶାଳୀ ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ସୁଯୋଗ ମିଳିପାରେ ।
ଶୁଭମନ ଗିଲ, ତିଳକ ବର୍ମା, ରିୟାନ ପରାଗ, ଧ୍ରୁବ ଜୁରେଲ, କେଏଲ ରାହୁଲ, କୁଲଦୀପ ଯାଦବ ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଲୀପ ଟ୍ରଫି ଖେଳିବେ । ଗିଲ ଓ କୁଲଦୀପଙ୍କୁ ଦଳରେ ସ୍ଥାନ ମିଳିପାରେ । କୁଲଦୀପ ଏ ପର୍ଯ୍ୟନ୍ତ ଭାରତୀୟ ଦଳର ଆଶା ଅନୁଯାୟୀ ବେଶ ଭଲ ପ୍ରଦର୍ଶନ କରିଛନ୍ତି । ଭାରତକୁ ପ୍ରଥମ ଟେଷ୍ଟ ଚେନ୍ନାଇ ଓ ଦ୍ୱିତୀୟ କାନପୁରରେ ଖେଳିବାକୁ ପଡିବ । ଭାରତୀୟ ଦଳ କୁଲଦୀପଙ୍କ ସହିତ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ଦେଇପାରେ ।