ନୂଆଦିଲ୍ଲୀ: ଦୀର୍ଘ ସମୟ ପରେ କ୍ରିକେଟ୍ ଫର୍ମାଟକୁ ଫେରୁଛି ଚାମ୍ପିଅନ୍ସ ଟ୍ରଫି । ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଖେଳାଯିବ । ଏହା ପୂର୍ବରୁ ଶେଷ ଥର ୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ଖେଳା ଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସେହି ୮ ଦଳ ସାମିଲ ହୋଇଥାନ୍ତି, ଯେଉଁମାନେ ଦିନିକିଆ ବିଶ୍ୱକପରେ ଟପ୍-୮ରେ ରହିଥାନ୍ତି । ତେବେ ଆଜି ପର୍ଯ୍ୟନ୍ତ ଦିନିକିଆ ଓ ଟି-୨୦ ବିଶ୍ୱକପ୍ ଖେଳି ମଧ୍ୟ କିଛି ଟିମ୍ ଚାମ୍ପିଅନ୍ସ ଟ୍ରଫି ଖେଳି ପାରି ନାହାନ୍ତି ।
୧ - ନାମିବ୍ୟା
ନାମିବ୍ୟା ଦିନିକିଆ ଓ ଟି-୨୦ ବିଶ୍ୱକପ୍ ଖେଳି ସାରିଛି । ମାତ୍ର ଦଳ ଏ ପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ଖେଳି ପାରି ନାହିଁ । ଏହି ଦଳ ୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ପାରି ନ ଥିଲେ ମଧ୍ୟ ଦଳ ୨୦୨୪ ଟି-୨୦ ବିଶ୍ୱକପ ଖେଳିଥିଲା ।
୨ – କାନାଡା
କାନାଡା ମଧ୍ୟ ଏ ପର୍ଯ୍ୟନ୍ତ ଥରୁଟିଏ ବି ଚାମ୍ପିଅନ୍ସ ଟ୍ରଫି ଖେଳି ପାରିନାହିଁ । ଦଳ ୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ପାରି ନ ଥିଲା । କିନ୍ତୁ ନାମିବ୍ୟା ପରି ଏହି ଦଳ ଟି-୨୦ ବିଶ୍ୱକପ୍ ଖେଳିଥିଲା ।
୩ - ଆୟରଲାଣ୍ଡ
ଆୟରଲାଣ୍ଡ ମଧ୍ୟ ଏହି ତାଲିକାରେ ସାମିଲ । ଦିନିକିଆ ଓ ଟି-୨୦ ବିଶ୍ୱକପରେ ବଡ ବଡ ଦଳକୁ ଆଣ୍ଟେଇ ଦେଇଥିବା ଏହି ଦଳ ଅଦ୍ୟାବଧି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଯୋଗ୍ୟ ବିବେଚିତ ହୋଇ ପାରିନି । ଏହି ଦଳ ୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରି ପାରି ନ ଥିଲା ।
୪ – ସ୍କଙ୍କଲାଣ୍ଡ
ଅନେକ ଥର ଦିନିକିଆ ଓ ଟି-୨୦ ବିଶ୍ୱକପ ଖେଳି ସାରିଥିବା ସ୍କଟଲାଣ୍ଡ ଏ ପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରି ପାରିନି । ୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ମଧ୍ୟ ଦଳ ଯୋଗ୍ୟତା ଅର୍ଜନ କରି ପାରି ନ ଥିଲା ।
ସୂଚନାଯୋଗ୍ୟ, ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ସ୍ପଷ୍ଟ ଜଣା ପଡିନି । ଏବେ ଦେଖିବା ବାକି ରହିଲା ଏହି ଟୁର୍ଣ୍ଣାମେଣ୍ଟ କିଭଳି ଆୟୋଜନ ହେଉଛି । ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର ଆନୁଷ୍ଠାନିକ କ୍ରୀଡା ସୂଚୀ ଜାରି ହୋଇ ନାହିଁ ।