ନୂଆଦିଲ୍ଲୀ, ଅଗଷ୍ଟ ୧୦ (ଖବର ଓଡ଼ିଶା): ଏସିଆ କପ୍ କ୍ରିକେଟ ପାଇଁ ଭାରତୀୟ ଟିମ୍ ଘୋଷିତ ହୋଇଯାଇଛି । ମୁଖ୍ୟ ଚୟନକାରୀ ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି ସୋମବାର ମୁମ୍ବାଇରେ ଅନୁଷ୍ଠିତ ବୈଠକ ପରେ ୧୫ ଜଣିଆ ଭାରତୀୟ ଦଳକୁ ଅନ୍ତିମ ରୂପ ଦେଇଛନ୍ତି । ଭାରତୀୟ ଟିମ୍ରେ ବିରାଟ କୋହଲି ଓ ଉପ-ଅଧିନାୟକ କେଏଲ୍ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । କିନ୍ତୁ ଦ୍ରୁତ ବୋଲର ଜସପ୍ରୀତ ବୁମରା ଓ ମହମ୍ମଦ ଶାମୀଙ୍କୁ ସ୍ଥାନ ମିଳିନାହିଁ । ଏନେଇ ବିସିସିଆଇ ଟୁଇଟ୍ କରିଛି ।
ତେବେ ବୁମରାଙ୍କ ଅନୁପସ୍ଥିତି ସତ୍ୱେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କ ଟିମ୍ରେ ସାମିଲ କରା ନ ଯିବା ଚର୍ଚ୍ଚାର ବିଷୟ ପାଲଟିଛି । କ୍ରିକେଟ ପ୍ରଶଂସକଙ୍କ କହିବା ଅନୁସାରେ ବୁମାର ଆଘାତ ଯୋଗୁଁ ଟିମ୍ରୁ ବାହାରେ ଥିଲା ବେଳେ ଚୟନକାରୀମାନେ ମହମ୍ମଦ ଶାମୀଙ୍କୁ କାହିଁକି ୧୫ ଜଣିଆ ଦଳରେ ସାମିଲ କରିନାହାନ୍ତି । ଭୁବନେଶ୍ୱର କୁମାର ଯଦିଓ ଜଣେ ଭଲ ଦ୍ରୁତ ବୋଲର ଓ ତାଙ୍କ ଠାରେ ଭଲ ଅଭିଜ୍ଞତା ରହିଛି, ତଥାପି ଯଦି ସେ କୌଣସି ଅସୁବିଧାର ସାମ୍ନା କରନ୍ତି, ତା’ହେଲେ ଦଳର ସ୍ଥିତି କ’ଣ ହେବ । ମହମ୍ମଦ ଶାମୀ ଫର୍ମରେ ଥାଇ ମଧ୍ୟ ତାଙ୍କୁ ସୁଯୋଗ ନ ମିଳିବା ପ୍ରଶଂସକଙ୍କୁ ବ୍ୟଥିତ କରିଛି । ନିକଟରେ ଇଂଲଣ୍ଡ ଗସ୍ତରେ ଦିନିକିଆ ଶୃଙ୍ଖଳାରେ ମହମ୍ମଦ ଶାମୀ ଭଲ ଫର୍ମରେ ଥିଲେ । ସେହିପରି ଆଇପିଏଲ୍-୨୦୨୨ରେ ଗୁଜରାଟ ଟାଇଟନ୍ସ ପାଇଁ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ ।
ବିସିସିଆଇ ଏକ ଅନ୍ୟ ଟୁଇଟ୍ରେ କହିଛି । ଜସପ୍ରୀତ ବୁମାର ଓ ହର୍ଷଲ ପଟେଲ ଆଘାତ ଯୋଗୁଁ ଚନୟ ଉପଲବ୍ଧ କରାଯାଇ ପାରି ନାହିଁ । ସେମାନେ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଏନସିଏରେ ଅଛନ୍ତି । ତିନି ଖେଳାଳି ଶ୍ରେୟସ ଆୟର, ଅକ୍ଷର ପଟେଲ ଓ ଦୀପକ ଚାହରଙ୍କୁ ଷ୍ଟାଣ୍ଡବଏ ଭାବରେ ରଖାଯାଇଛି । ଭାରତୀୟ ଟିମ୍ରେ ୩ ଜଣ ଦ୍ରୁତ ବୋଲର ସାମିଲ ହୋଇଛନ୍ତି । ସେମାନେ ହେଲେ ଭୁବନେଶ୍ୱର କୁମାର, ଆଭେସ ଖାନ ଓ ଅର୍ଶଦୀପ ସିଂହ ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ବିରାଟ କୋହଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟକିପର), ଦିନେଶ କାର୍ତ୍ତିକ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଶ୍ନୋୟୀ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ଆଭେସ ଖାନ ।
ସୂଚନାଯୋଗ୍ୟ, ଏସିଆ ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ସେପ୍ଟେମ୍ବର ୧୧ ତାରିଖ ଯାଏଁ ଖେଳାଯିବ । ଶ୍ରୀଲଙ୍କା, ଭାରତ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ପୂର୍ବରୁ ଯୋଗ୍ୟତାଅର୍ଜନ କରିସାରିଛନ୍ତି । ଅନ୍ତିମ ଟିମ ନିର୍ଦ୍ଧାରିତ ହୋଇପାରି ନାହିଁ । ଭାରତ ନିଜର ଅଭିଯାନ ଅଗଷ୍ଟ ୨୮ରେ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ ।