ନୂଆଦିଲ୍ଲୀ, ଜୁନ୍ ୨୫ (ଖବର ଓଡ଼ିଶା): ଭାରତୀୟ ଟିମ୍ ଏବେ ଇଂଲଣ୍ଡ ଗସ୍ତରେ ଅଛନ୍ତି । ଏଠାରେ ଜୁନ୍ ୨୩ରୁ ବ୍ରିଟିଶ କ୍ଲବ ଲିସେଷ୍ଟରଶାୟର ବିରୋଧରେ ୱାର୍ମ-ଅପ୍ ମ୍ୟାଚ ଖେଳାଯାଉଛି । ମ୍ୟାଚରେ ଭାରତୀୟ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ଏହା ପରେ ଦ୍ୱିତୀୟ ଦିନ ନିଜର ସ୍ଥିତି ମଜବୁତ କରିପାରିଛି । ମ୍ୟାରଚ ଦ୍ୱିତୀୟ ଦିନର ଦ୍ୱିତୀୟ ପାଳିରେ ଭାରତ ଗୋଟିଏ ୱିକେଟ ହରାଇ ୮୦ ରନ୍ କରିଛି । ହନୁମା ବିହାରୀ (୯) ଓ ଶ୍ରୀକର ଭରତ (୩୧) ଅପରାଜିତ ଅଛନ୍ତି ।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ପାଳିରେ ୮ ୱିକେଟରେ ୨୪୬ ରନ୍ କରିଥିଲା । ଏହା ପରେ ପାଳି ଘୋଷଣା କରିଥିଲା । ଲିସେଷ୍ଟରଶାୟର ଟିମ୍କୁ ଭାରତ ୨୪୪ ରନ୍ରେ ଅଲ୍ଆଉଟ୍ କରିଥିଲା । ଏହିଭଳି ଭାବେ ଭାରତ ପ୍ରଥମ ପାଳି ଆଧାରରେ ୨ ରନ୍ରେ ଅଗ୍ରଣୀ ଥିଲା ।
ଟିମ୍ ଇଣ୍ଡିଆର ୨ୟ ପାଳି ଜାରି ରହିଛି । ଏହାରି ମଧ୍ୟରେ ରୋହିତ ଶର୍ମା ଏକ ପରୀକ୍ଷା କରିଛନ୍ତି । ସେ ନିଜ ସ୍ଥାନରେ ୱିକେଟକିପର ବ୍ୟାଟର ଶ୍ରୀକର ଭରତକୁ ଓପନିଂ କରିବାର ସୁଯୋଗ ଦେଇଛନ୍ତି । ଭରତ ଶୁଭମନ ଗିଲଙ୍କ ସହିତ ପାଳି ଆରମ୍ଭ କରିଥିଲେ । ଉଭୟ ଓପନର ଭଲ ଖେଳିଥିଲେ । ଭାରତ ୧୩ ଓଭରରେ ବିନା କୌଣସି ୱିକେଟ ହରାଇ ୬୨ ରନ୍ କରିଥିଲା । କିନ୍ତୁ ୧୪ତମ ଓଭରର ପ୍ରଥମ ବଲରେ ଶୁଭମନ ଗିଲ (୩୮) ଆଉଟ୍ ହୋଇଥିଲେ ।