ଆଇପିଏଲ୍‌: ଲଖନଉକୁ ୬୨ ରନ୍‌ରେ ପରାସ୍ତ କଲା ଗୁଜରାଟ, ପ୍ରଥମ ଟିମ୍ ଭାବେ ପ୍ଲେଅଫ୍‌ରେ ପହଞ୍ଚିଲା
Khabar Odisha:Sports-cricket-Gujarat-Titans-won-by-62-runs-against-Lucknow-Super-Giant

ମୁମ୍ବାଇ, ମେ ୧୧ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ରେ ମଙ୍ଗଳବାର ଲଖନଉ ସୁପର ଜ୍ୟାଣ୍ଟ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ୫୭ତମ ମ୍ୟାଚ୍ ଖେଳାଯାଇଛି । ପୁନେସ୍ଥିତ ମହରାଷ୍ଟ୍ର କ୍ରିକେଟ୍ ଆସୋସିଏଶନ ଷ୍ଟାଡିୟମ୍‌ରେ ଉଭୟ ଲଖନଉ ଓ ଗୁଜରାଟ ଶକ୍ତି ପ୍ରଦର୍ଶନ କରିଛନ୍ତି । ଚଳିତ ସଂସ୍କରଣର ଆଇପିଏଲ୍‌ରେ ଏପର୍ଯ୍ୟନ୍ତ ଶ୍ରେଷ୍ଠ ଖେଳିଥିବା ଦୁଇ ଟିମ୍ ପଏଣ୍ଟ ଟେବୁଲରେ ପ୍ରଥମ ୨ଟି ସ୍ଥାନ ଦଖଲ କରିଛନ୍ତି । ଉଭୟ ଦଳ ୧୨ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଗୁଜରାଟ ୯ଟି ମ୍ୟାଚ ଜିତି ୧୮ ପଏଣ୍ଟ ହାସଲ କରିଥିଲା ବେଳେ ଲଖନଉ ୮ଟି ମ୍ୟାଚରେ ବିଜୟ ହାସଲ କରିଛି । ତେଣୁ ମଙ୍ଗଳବାର ମ୍ୟାଚ ଦର୍ଶକଙ୍କ ପାଇଁ ଉତ୍‌କଣ୍ଠାପୂର୍ଣ୍ଣ ଥିଲା । 

ଏହି ହାଇଭୋଲଟେଜ୍ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିବା ଗୁଜରାଟ ଟିମ୍ ପ୍ରଥମେ ବ୍ୟାଟିଂ କରି ୪ଟି ୱିକେଟ୍ ହରାଇ ୧୪୪ ରନ୍ କରିଥିଲା । ଗୁଜରାଟ ପାଇଁ ଶୁଭମନ୍ ଗିଲ ସର୍ବାଧିକ ୬୩ ରନ୍ କରିଥିଲେ । ଡେଭିଡ ମିଲର ୨୬ ରନ୍ ଓ ରାହୁଲ ତେୱତିଆ ଅପରାଜିତ ୨୨ ରନ୍ କରିଥିଲେ । ମ୍ୟାଥୁ ୱାଡେ ୧୦ ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୧ ରନ୍ କରିଥିଲେ । ଦର୍ଶକ ଭାବୁଥିଲେ ଲଖନଉ ମ୍ୟାଚ ଜିତିବ । କିନ୍ତୁ ଗୁଜରାଟର ବୋଲର ଓଲଟପାଲଟ କରିଦେଇଥିଲେ । ଗୁଜରାଟ ପ୍ରଥମ ଟିମ୍ ଭାବେ ପ୍ଲେଅଫ୍‌ରେ ପହଞ୍ଚିଛି । 

୧୪୫ ରନ୍‌ର ବିଜୟ ଲକ୍ଷ ନେଇ ଲଖନଉ ପଡିଆକୁ ଓହ୍ଲାଇଥିଲା । ଟିମ୍ ୧୩.୫ ଓଭରରେ ସମସ୍ତ ୱିକେଟ ହରାଇ ୮୨ ରନ୍ କରିଥିଲା । ଲଖନଉ ପାଇଁ ଦୀପକ ହୁଡା ସର୍ବାଧିକ ୨୭ ରନ୍ ସଂଗ୍ରହ କରିପାରିଥିଲେ । ଓପନର କ୍ୱିଣ୍ଟନ୍ ଡି’ କକ୍ ୧୧ ରନ୍ ଓ ଅଧିନାୟକ କେଏଲ ରାହୁଲ ୮ ରନ୍ କରିଥିଲେ । ଦୁଷ୍ମନ୍ତ ଚମିରା ୧୨ ରନ୍ କରିଥିଲା ବେଳେ ଅନ୍ୟମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ରସିଦ୍ ଖାନ୍ ଲଖନଉର ଦୁର୍ଗ ଭାଙ୍ଗିଥିଲେ । ସେ ୩.୫ ଓଭର ବୋଲିଂ କରି ୨୪ ରନ୍ ଦେଇଥିଲେ । କିନ୍ତୁ ରସିଦ୍ ୪ଟି ୱିକେଟ ନେଇ ଲଖନଉକୁ ଦୁର୍ବଳ କରିଦେଇଥିଲେ । ୟଶ ଦୟାଲ ଓ ରବିଶ୍ରୀନିବାସ ସାଈ କିଶୋରଙ୍କୁ ୨-୨ଟି ୱିକେଟ ମିଳିଥିଲା । ଦ୍ରୁତ ବୋଲର ମହମ୍ମଦ ସାମି୍ ଗୋଟିଏ ୱିକେଟ୍ ନେଇଥିଲେ ।  

 

 

  • Tags:

Subscribe

National International State Sports Entertainment