ଗୁଆହାଟୀ, ଅକ୍ଟୋବର ୦୩ (ଖବର ଓଡ଼ିଶା): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ଥର ପାଇଁ ଘରୋଇ ମାଟିରେ ଟି-୨୦ ଶୃଙ୍ଖଳା ଜିତିଛି । ସୂର୍ଯ୍ୟକୁମାର ଯାଦବଙ୍କ ଶକ୍ତି ଆଗରେ ଡେଭିଡ ମିଲରଙ୍କ ଶତକ ନିରର୍ଥକ ପାଲଟିଛି । ଗୁଆହାଟୀରେ ଭାରତ ଦ୍ୱିତୀୟ ଟି-୨୦କୁ ୧୬ ରନ୍ରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ହାତେଇଛି । ଏହି ଶୃଙ୍ଖଳାରେ ଭାରତ ବର୍ତ୍ତମାନ ସୁଦ୍ଧା ୨-୦ରେ ଥିବା ବେଳେ ତୃତୀୟ ତଥା ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍ ଅକ୍ଟୋବର ୪ ତାରିଖରେ ଇନ୍ଦୋରରେ ଖେଳାଯିବ ।
ଇାରସପରା କ୍ରିକେଟ ଷ୍ଟାଡିୟମରେ ରବିବାର ଟସ୍ ଜିଣି ଦକ୍ଷିଣ ଆଫ୍ରିକା ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ଟିମ୍ ସୂର୍ଯ୍ୟକୁମାର ଯାଦବ ଏବଂ କେଏଲ୍ ରାହୁଲଙ୍କ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକାକୁ ୨୩୮ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା । ଜବାବରେ ଘରୋଇ ଟିମ୍ ୩ ୱିକେଟ ହରାଇ ୨୨୧ ରନ୍ରେ ଅଟକି ଯାଇଥିଲେ ।
ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ ହାରିଯାଇଥିଲେ ବି ଜିତିବା ପାଇଁ ବଳ କଷିଥିଲା । ଦଳର ସ୍କୋର ମାତ୍ର ୧ ରନ୍ ଥିବା ବେଳେ ପ୍ରାରମ୍ଭିକ ବ୍ୟାଟର ତଥା ଅଧିନାୟକ ତେମ୍ବା ବାଭୁମା ୭ଟି ବଲ୍ ଖେଳି ଖାତା ଖୋଲି ପାରି ନ ଥିଲେ । ସେହିପରି ରିଲି ରୋସୁଉ ମଧ୍ୟ ୨ଟି ବଲ୍ ସାମ୍ନା କରି ଆଉଟ୍ ହୋଇଯାଇଥିଲେ । ତେବେ ଦଳର ଅଭିଜ୍ଞ ବ୍ୟାଟର କ୍ୱିଣ୍ଟ ଡି’କକ ଅପରାଜିତ (୬୬ ରନ୍) ରହି ଆଇଡେନ ମାର୍କମ (୩୩ ରନ୍) ଓ ଡେଭିଡ ମିଲରଙ୍କ ସହିତ ବଡ଼ ଯୋଗଦାନ ଦେଇଥିଲେ । ଡି’କକ ମାର୍କମଙ୍କ ସହିତ ୪୬ ରନ୍ର ଭାଗିଦାରୀ ହୋଇଥିଲେ । ଏଥି ସହିତ ସେ ମିଲରଙ୍କ ସହିତ ୧୭୪ ରନ୍ର ଭାଗିଦାରି ହୋଇଥିଲେ । ଡେଭିଡ ମିଲର ୪୭ଟି ବଲ୍ ଖେଳି ୮ ଚୌକା ଓ ୭ଟି ଛକା ବଳରେ ଅପରାଜିତ ୧୦୬ ରନ୍ ସଂଗ୍ରହ କରିଥିଲେ ।
ଭାରତର ପାଳିରେ କେଏଲ୍ ରାହୁଲ ୫୭ ରନ୍, ରୋହିତ ଶର୍ମା ୪୩ ରନ୍, ବିରାଟ କୋହଲି ଅପରଜିତ ୪୯ ରନ୍, ସୂର୍ଯ୍ୟକୁମାର ଯାଦବ ୬୧ ରନ୍ ଓ ଦିନନେଶ କାର୍ତ୍ତିକ ଅପରାଜିତ ୧୭ ରନ୍ ସଂଗ୍ରହ କରିଥିଲେ ।