ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ ଶେଷ ହୋଇଛି। ଏହି କ୍ରୀଡ଼ାକୁମ୍ଭରୁ ଭାରତକୁ ୬ଟି ପଦକ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ରେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାଗ ନେଇଥିବା ସମସ୍ତ ଭାରତୀୟ ଆଥଲେଟଙ୍କୁ ଭେଟିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଅପରାହ୍ନ ପ୍ରାୟ ୧ଟାରେ ସମଗ୍ର ଭାରତୀୟ ଦଳକୁ ଭେଟିବେ। ଭାରତୀୟ ଅଲିମ୍ପିକ୍ ଦଳରେ ସାମିଲ ଥିବା ପ୍ରତ୍ୟେକ ଆଥଲେଟ୍ଙ୍କୁ ଅଗଷ୍ଟ ୧୫ରେ ଲାଲକିଲ୍ଲା ଆସିବାକୁ ନିମନ୍ତ୍ରଣ କରାଯାଇଛି।
ରିପୋର୍ଟ ଅନୁଯାୟୀ, ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୧୭ ଜଣ ଆଥଲେଟ୍ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଉପସ୍ଥିତ ରହିବେ। ଏହାବ୍ୟତୀତ ମୋଦୀ ଭାରତ ପାଇଁ ପଦକ ଜିତିଥିବା ଆଥଲେଟମାନଙ୍କୁ ପୃଥକ ଭାବେ ଭେଟିବେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତର କୌଣସି ଆଥଲେଟ୍ ପଦକ ଜିତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ଏହାବ୍ୟତୀତ ଅତି ନିକଟ ବ୍ୟବଧାନରେ ପଦକ ଜିତିବାରୁ ବଞ୍ଚିତ ହୋଇଥିବା ଭାରତୀୟ କ୍ରୀଡ଼ାବିତ୍ଙ୍କୁ ମନୋବଳ ମଧ୍ୟ ସେ ବଢ଼ାଇଥିଲେ।
ଏହା ପୂର୍ବରୁ 'ଏକ୍ସ' ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଭାରତୀୟ ଆଥଲେଟଙ୍କୁ ପରବର୍ତ୍ତୀ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସମସ୍ତ ଆଥଲେଟଙ୍କୁ ସମ୍ମାନ ଜଣାଇ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ସମସ୍ତ ଆଥଲେଟଙ୍କ ପାଇଁ ଗର୍ବିତ।
ଗତ କିଛି ଦିନ ଭାରତର ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ପାଇଁ ଅସୁବିଧାରେ ଭରି ରହିଥିଲା। ନିର୍ଦ୍ଧାରିତ ମାନଦଣ୍ଡଠାରୁ ୧୦୦ ଗ୍ରାମ ଅଧିକ ଥିବାରୁ ଫାଇନାଲ ମ୍ୟାଚ୍ ଲଢ଼ିବା ପୂର୍ବରୁ ତାଙ୍କୁ ଅଲିମ୍ପିକ୍ସରୁ ବାଦ୍ ଦିଆଯାଇଥିଲା। ଏହା ଉପରେ ସେ ସିଏଏସ୍ଙ୍କ ନିକଟରେ ନିବେଦନ କରିଥିଲେ, ଯିଏ କି ଅଗଷ୍ଟ ୧୩ରେ ଭିନେଶଙ୍କୁ ରୌପ୍ୟ ପଦକ ପ୍ରଦାନ ପ୍ରସଙ୍ଗରେ ରାୟ ଦେବେ।
ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଭିନେଶଙ୍କୁ ସମର୍ଥନ ଜଣାଇବା ସହ ସେ ଚାମ୍ପିୟନ ବୋଲି କହିଛନ୍ତି। ବିନେଶଙ୍କ ମନୋବଳ ବଢ଼ାଇବା ପାଇଁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଘଟଣା ଅନେକ ସମୟରେ ହୃଦୟ ବିଦାରକ ହୋଇଥାଏ, କିନ୍ତୁ ଏହି ଦୁଃଖଦ ଘଟଣାକୁ ବର୍ଣ୍ଣନା କରିବା ପାଇଁ ତାଙ୍କ ପାଖରେ ଶବ୍ଦ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଭିନେଶ ଫୋଗାଟଙ୍କୁ ଆଗାମୀ ଯାତ୍ରା ପାଇଁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ।