ଚେନ୍ନାଇ: ଟି-୨୦ ବିଶ୍ଵକପ ୨୦୨୬ରେ ନିଜର କର ବା ମର ମ୍ୟାଚରେ ଭାରତ ଜିମ୍ବାୱେକୁ ୭୨ ରନରେ ହରାଇଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି। ଭାରତର ବିଜୟ ଦକ୍ଷିଣ ଆଫ୍ରିକାକୁ ସେମିଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ପ୍ରଦାନ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଟି-୨୦ ବିଶ୍ଵକପ୍ ଇତିହାସରେ ଦ୍ବିତୀୟ ସର୍ବାଧିକ ସ୍କୋର ୨୫୬ ରନ କରିଥିଲା। ଜବାବରେ ଜିମ୍ବାୱେ କେବଳ ୧୮୪ ରନ କରିପାରିଥିଲା। ବ୍ରାଏନ୍ ବେନେଟ୍ ୯୭ ରନ କରିଥିଲେ ହେଁ ଦଳକୁ ବିଜୟୀ କରାଇପାରି ନଥିଲେ। ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ୍ଵିକେଟ୍ ନେଇଥିଲେ।
ଏହି ମ୍ୟାଚରେ ଜିମ୍ବାୱେ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ଲେଇଂ ଇଲେଭେନରେ ସାମିଲ ସଞ୍ଜୁ ସାମସନ୍ ୨୪ ରନ କରି ଆଉଟ ହୋଇଥିଲେ। ନିରନ୍ତର ସଂଘର୍ଷ କରୁଥିବା ଅଭିଷେକ ଶର୍ମା ଶେଷରେ ୫୫ ରନର ଅର୍ଦ୍ଧଶତକ ହାସଲ କରିଥିଲେ। ଇଶାନ କିଶନ ୩୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୩ ବଲରୁ ବିସ୍ଫୋରକ ୩୩ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା ଶେଷ ଆଡ଼କୁ ଧୂଆଁଧାର ବ୍ୟାଟିଂ କରି ୮୪ ରନ ଯୋଡ଼ିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨୩ ବଲରୁ ୨ ଚୌକା ଓ ୪ ଛକା ସହ ୫୦ ରନ ଓ ତିଳକ ବର୍ମା ୧୬ ବଲରୁ ୩ ଚୌକା ଓ ୪ ଛକା ସହ ୪୪ ରନ କରି ଅପରାଜିତ ଥିଲେ। ଫଳରେ ଭାରତ ୨୫୬ ରନର ବିଶାଳ ସ୍କୋର କରି ପାରିଥିଲା।
୨୫୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଜିମ୍ବାଓ୍ଵେର ଆରମ୍ଭ ଭଲ ଥିଲା। ଦୁଇ ଓପନର ବ୍ରିୟାନ ବେନେଟ୍ ଓ ତାଡିଓ୍ଵାନଶେ ମାରୁମାନି ଓପନିଂରେ ୪୪ ରନ ଯୋଡ଼ିଥିଲେ। ଜିମ୍ବାଓ୍ଵେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ନ ଥିଲେ ବି ଦ୍ରୁତ ଗତିରେ ନ ସଂଗ୍ରହ କରି ପାରି ନ ଥିଲା। ଭାରତୀୟ ବୋଲର ଆରମ୍ଭରୁ ବଡ଼ ସଟ୍ ଖେଳିବାକୁ ଦେଇ ନ ଥିଲେ। ଅଧିନାୟକ ସିକନ୍ଦର ରାଜା ୩୧ ରନ କରି ଆଉଟ୍ ହୋଇଥିଲେ। ଟୋନି ମୁନୟୋଙ୍ଗା ୧୧ ରନ କରିଥିଲେ। ଦଳ ତରଫରୁ କେବଳ ବେନେଟ୍ ଦମଦାର ବ୍ୟାଟିଂ କରିଥିଲେ।
ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୫୯ ବଲରୁ ୮ ଚୌକା ଓ ୬ ଛକା ସହ ୯୭ ରନର ଇନିଂସ ଖେଳିଛନ୍ତି। ଶେଷରେ ଜିମ୍ବାଓ୍ଵେ ୬ ଓ୍ଵିକେଟ୍ ହରାଇ ୧୮୪ ରନ କରି ପାରିଛି। ଭାରତ ଶେଷ ଆଡ଼କୁ ବେପରୁଆ ବୋଲିଂ କରିବାରୁ ଜିମ୍ବାଓ୍ଵେ ଏହି ସ୍କୋରରେ ପହଞ୍ଚି ପାରିଥିଲା। ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୨୪ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଜିମ୍ବାୱେ ବିପକ୍ଷରେ ୭୨ ରନର ବିଜୟ ଭାରତ ସେମି ଆଶାକୁ ଉଜ୍ଜିବୀତ କରିଛି। ପରାଜୟହ ସହ ଜିମ୍ବାୱେ ଏବେ ବିଶ୍ଵକପରୁ ବିଦା ହୋଇଛି।