ଆଜି ମୁହାଁ ମୁହିଁ ହେବେ ବାଘ-କଙ୍ଗାରୁ । ସାରା ଦେଶରେ, ସମସ୍ତ ଦେଶବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି କ୍ରିକେଟର ଫିଭର । କିଛି ଘଣ୍ଟା ପରେ ସାରା ଭାରତ ଦେଖିବାକୁ ପାଇଁବ ଭାରତୀୟ ଦଳର ଏକ ଅବିସ୍ମରଣୀୟ ଖେଳ । ଆଉ କିଛି ଘଂଟା ପରେ ଇଣ୍ଡିଆ ....... ଇଣ୍ଡିଆ ନାମରେ ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ପୁଣି ଥରେ କଙ୍ଗାରୁକୁ ଟକ୍କର ଦେବେ ମେନ୍ ଇନ୍ ବ୍ଲୁ। ଦିନିକିଆ କ୍ରିକେଟର ନୂଆ ସମ୍ରାଟ ହେବା ଲାଗି ଲଢେଇ କରିବେ ଦୁଇ ଦଳ। 20 ବର୍ଷ ଟ୍ରଫି ନ ଜିତିବାର ଦୁଃସ୍ବପ୍ନର ଅନ୍ତ ଘଟାଇବ ରୋହିତ ଶର୍ମା ସେନାର ଆକାଶଛୁଆଁ ମନୋବଳ ଏବଂ ଦୃଢ଼ ବିଶ୍ବାସ | ଜୋହାନ୍ସବର୍ଗର ୱାଣ୍ଡରସ ଷ୍ଟାଡ଼ିୟମରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ୧୨୫ରନରେ ଭାରତକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ବକପ ଜିତିଥିଲା।
ଜୋହାନ୍ସବର୍ଗର ବଦଲା ନିଆ ଯିବ ଅହମ୍ମଦାବାଦରେ। ତେବେ ଏଥର ଟିମ ଇଣ୍ଡିଆ ସହ ପୁରା ଇଣ୍ଡିଆ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହି ସୁପର ମୁକାବିଲା ଲାଗି ସାରା ଦେଶରେ ବଢିଚାଲିଛି କ୍ରିକେଟ ଫିଭର୍ । ସମସ୍ତେ ଭିନ୍ନ ଭିନ୍ନ ଢଙ୍ଗରେ ମେନ୍ ଇନ୍ ବ୍ଲୁକୁ ଚିୟର୍ ଅପ୍ କରୁଛନ୍ତି। କାରଣ ଭାତର ପାଇଁ କ୍ରିକେଟ କେବଳ ଏକ ଖେଳ ନୁହଁ ଏହା ଏକ ପର୍ବ । ଟିମ ଇଣ୍ଡିଆର ଜିତିବା ପାଇଁ କିଏ ହୋମ ଯଜ୍ଞ କରୁଛନ୍ତି ତ ଆଉ କିଏ ୫୦୦ ଫୁଟର ତ୍ରିରଙ୍ଗା ଧରି ରୋହିତ ବାହିନୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ତେବେ ଏହାକୁ ସ୍ମରଣୀୟ କରିବା ଲାଗି ବିସିସିଆଇ, ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରିଛି । ତେବେ ଏହି ମହାମୁକାବିଲା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ଥିବା ବେଳେ ଆଜି ଆଦୌ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ସନ୍ଧ୍ୟାରେ ଆର୍ଦ୍ରତା ସ୍ତର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। କହିବାକୁ ଗଲେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।
ତେବେ ଟାଇଟଲ୍ ଟକ୍କର ପୂର୍ବରୁ ଭାଇରାଲ୍ ହେଉଛି ଦୁଇ କ୍ୟାପଟେନଙ୍କ ଫଟୋ ସୁଟ୍। ଗାନ୍ଧିନଗର ନିକଟ ଅଡାଲଜ୍ ଷ୍ଟେପ୍ ୱେଲରେ ବିଶ୍ୱକପ୍ ସହ ରୋହିତ ଶର୍ମା ଓ ପ୍ୟାଟ୍ କମିନ୍ସଙ୍କ ଏହି ଫଟୋ ସୁଟ୍ କରାଯାଇଛି । ଏହାକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିଛନ୍ତି । ତେବେ ଏହି ମହାମୁକାବିଲାକୁ ଦେଖିବା ପାଇଁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସହ ବିସିସିଆଇ ପକ୍ଷରୁ ବିଶ୍ୱକପ୍ ଜିତିଥିବା ସମସ୍ତ ଅଧିନାୟକଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଛି । ଏହାସହ ଇନିଂସ ବ୍ରେକ୍ ବେଳକୁ ଦେଶର ଷ୍ଟାର୍ ସିଙ୍ଗରମାନେ ଷ୍ଟାଡିୟମରେ ଉପସ୍ଥିତ ଲକ୍ଷେରୁ ଅଧିକ ଦର୍ଶକଙ୍କ ମନୋରଞ୍ଜନ କରିବେ ।
ପୁଣିଥରେ ଦର୍ଶକମାନେ ମୈଦାନରେ ଦେଖିବାକୁ ପାଇବେ କୋହଲି ଏବଂ ରୋହିତଙ୍କ ଜବରଦସ୍ତ ବ୍ୟାଟିଂ, ସ୍ପିନ୍ ବିଭାଗରେ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବଙ୍କ ପ୍ରଭାବୀ ପ୍ରଦର୍ଶନ ପାଇଁ ରୋହିତ ଶର୍ମାଙ୍କୁ ବଡ଼ ଆଶ୍ବସ୍ତିରେ ରଖିଛି। ଏହାସହ ମହମ୍ମଦ ସାମିଙ୍କ ଜବରଦସ୍ତ ବୋଲିଂ ତ ଅଛି । ହେଲେ କଙ୍ଗାରୁ ଦଳ ପାଖରେ ନକଆଉଟ୍ ଗେମରେ ଭଲ ପ୍ରଦର୍ଶନ କରିଥିବା ରେକର୍ଡ ମଧ୍ୟ ରହିଛି । ତେଣୁ ଫାଇନାଲ ମୁକାବିଲା ଜୋରଦାର ହେବ ବୋଲି ଆଶା କରାଯାଉଛି । ତେବେ କିଏ ହେବ ଏହି ବିଶ୍ୱକପର ହକଦାର। ଅଷ୍ଟ୍ରେଲିଆ ଷଷ୍ଠ ଥର ଲାଗି ଏହାକୁ ନିଜ କବଜାକୁ ନେବ ନା ତୃତୀୟ ଥର ଏହାକୁ ନିଜ ନାଁରେ କରିବ ଟିମ୍ ଇଣ୍ଡିଆ।