ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତୀୟ ଦଳକୁ ଲାଗିପାରେ ବଡ଼ ଝଟକା। ଭାରତୀୟ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରୁ ବାଦ୍ ପଡ଼ି ପାରନ୍ତି। ରୋହିତ ଶର୍ମା ବ୍ୟକ୍ତିଗତ କାରଣରୁ ପ୍ରଥମ ଦୁଇଟି ମ୍ୟାଚ୍ରୁ ଗୋଟିଏରେ ଉପଲବ୍ଧ ରହିବେ ନାହିଁ ବୋଲି ଜଣା ପଡିଛି। ହିଟମ୍ୟାନ ବିସିସିଆଇକୁ ଏହି ବିଷୟରେ ଅବଗତ କରାଇ ଦେଇଥିବା ଜାତୀୟ ଗଣମାଧ୍ୟମରୁ ପ୍ରକାଶ।
ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ନଭେମ୍ବର ୨୨ରୁ ପର୍ଥରେ ପ୍ରଥମ ଟେଷ୍ଟ ଖେଳାଯିବ। ରୋହିତ ପ୍ରଥମ ଟେଷ୍ଟ ସହିତ ଡିସେମ୍ବର ୬ରୁ ଆରମ୍ଭ ହେଉଥିବା ଦ୍ଵିତୀୟ ଟେଷ୍ଟ ଖେଳି ନ ପାରିବାର ସମ୍ଭାବନା ରହିଛି। ତେବେ ବିସିସିଆଇ ପକ୍ଷରୟ ଏ ସଂପର୍କରେ କୌଣସି ସ୍ପଷ୍ଟତା ମିଳି ନାହିଁ। କିନ୍ତୁ ରୋହିତ ଶର୍ମା ବିସିସିଆଇକୁ ଅବଗତ କରାଇ ଦେଇଛନ୍ତି ଯେ, ବ୍ୟକ୍ତିଗତ କାରଣ ପାଇଁ ସେ ସିରିଜ୍ର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ରୁ ଗୋଟିଏ ଖେଳି ନ ପାରନ୍ତି।
ଯଦି ସିରିଜ୍ ପୂର୍ବରୁ ବ୍ୟକ୍ତିଗତ କାମ ସରିଯାଏ ତେବେ ସେ ସମସ୍ତ ପାଞ୍ଚ ଟେଷ୍ଟ ଖେଳି ପାରନ୍ତି। ଆଗାମୀ ଦିନରେ ଏହି ବିଷୟରେ ଆହୁରି ସ୍ପଷ୍ଟତା ଆସିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ସରିବା ପରେ ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି.
ଯଦି ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପ୍ରାରମ୍ଭିକ ମ୍ୟାଚ୍ ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ ଅଭିମନ୍ୟୁ ଈଶ୍ଵରନଙ୍କୁ ଦଳରେ ସାମିଲ କରାଯାଇପାରେ। ଈଶ୍ଵରନ ଭାରତ ଏ ଦଳ ପକ୍ଷରୁ ଅଷ୍ଟ୍ରେଲିଆରେ ଦଳର ନେତୃତ୍ଵ ମଧ୍ୟ ନେଇଛନ୍ତି। ରୋହିତଙ୍କ ଜାଗାରେ ଯଶସ୍ଵୀ ଜୟସ୍ଵାଲଙ୍କ ସହ ଗିଲ୍ କିମ୍ବା କେଏଲ ରାହୁଲ ଓପନିଂ କରି ପାରନ୍ତି ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଭାରତୀୟ ଦଳ ୨୦୧୪/୧୫ରୁ ଲଗାତାର ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ କରି ଆସିଛି । ବିଶେଷ କରି ଗତ ଦୁଇଟି ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଐତିହାସିକ ସିରିଜ୍ ବିଜୟ ହାସଲ କରିଛି । ଏଥର ଦଳ କଙ୍ଗାରୁକୁ ତାରି ମାଟିରେ ହରାଇ ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।