ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଚମତ୍କାର ପ୍ରଦର୍ଶନ କରି ୧୨ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତିଛି । ଭାରତୀୟ ଦଳ ଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଏହି ସଫଳତା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିିସିଆଇ) ଦଳ ଉପରେ ଟଙ୍କା ବର୍ଷା କରିଛି । ବିସିସିଆଇ ପୂରା ଦଳ ପାଇଁ ନଗଦ ୫୮ କୋଟିର ପୁରଷ୍କାର ରାଶି ଘୋଷଣା କରିଛି । ଏହି ରାଶି ଖେଳାଳିଙ୍କ ସହିତ କୋଚ୍ ଓ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ମିଳିବ । ବିସିିସିଆଇ ଗୁରୁବାର ସାମାଜିକ ଗଣମାଧ୍ୟମରେ ଏହାର ସୂଚନା ଦେଇଛି ।
ଯଦି ଖେଳାଳିଙ୍କ ଦରମା ଦେଖିବା ତେବେ ଏହା ଗ୍ରେଡ ହିସାବରେ ମିଳିଥାଏ । ଏ ପ୍ଲସ ଗ୍ରେଡର ଖେଳାଳିଙ୍କୁ ସବୁଠୁ ଅଧିକ ଦରମା ମିଳୁଛି । କିନ୍ତୁ ପୁରଷ୍କାର ରାଶିରେ ନିୟମ ଭିନ୍ନ ରହିଛି । ଏଥିରେ ଖେଳାଳିଙ୍କୁ ସମାନ ଭାବେ ଅର୍ଥ ରାଶି ଦିଆଯାଏ । ତେବେ ଏହି ୫୮ କୋଟିରୁ ଖେଳାଳିଙ୍କୁ କେତେ, କୋଚ୍ଙ୍କୁ କେତେ ଏବଂ ସପୋର୍ଟ ଷ୍ଟାଫଙ୍କୁ କେତେ ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଖେଳାଳି ଏବେ ମାଲାମାଲ୍ ହେବାକୁ ଯାଉଛନ୍ତି ।
ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇଥିଲା । ଏହା ପରେ ଫାଇନାଲରେ କମାଲ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ମାତ୍ ଦେଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୫୧ ରନ କରିଥିଲା । ଏଥିରେ ଡାରିଲ ମିଚେଲ୍ ସର୍ବାଧିକ ୬୩ ରନର ଇନିଂସ ଖେଳିଥିଲେ । ଏହାର ଜବାବରେ ଭାରତ ୪୯ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଫାଇନାଲରେ ଅଧିନାୟକ ରୋହିତ ଶର୍ମା ୭୬ ରନର ଦମଦାର ଇନିଂସ ଖେଳିଥିଲେ । ଶ୍ରେୟସ ଆୟର ୪୮ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ।