15 ବର୍ଷ ପୂର୍ବେ 2008 ଅଗଷ୍ଟ 18ରେ ବିରାଟ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚ୍ ଜରିଆରେ ଆନ୍ତର୍ଜାତିକ କ୍ରିକେଟରେ ପଦାର୍ପଣ କରିଥିଲେ ବିରାଟ କୋହଲି । ସେତେବେଳେ ତାଙ୍କ ବୟସ ହୋଇଥିଲା ୧୯ ବର୍ଷ ୨୮୭ ଦିନ । ସେ ନିଜ ପ୍ରଥମ ଦିନିକିଆରେ ହିଁ ଓପନିଂ କରିଥିଲେ । ଏହା ସହିତ ପଦାର୍ପଣରେ ଓପନିଂ କରିବାରେ ସେ ସର୍ବକନିଷ୍ଠ ଭାରତୀୟ ହୋଇପାରିଥିଲେ । ଏହି ପନ୍ଦର ବର୍ଷ ଭିତରେ ଅନେକ ଉପଲବ୍ଧି ହାସଲ କରିଛନ୍ତି ବିରାଟ |
2011 ରେ ଦିନିକିଆ ବିଶ୍ୱକପ୍ ବିଜୟ ଠାରୁ ନେଇ ଆନ୍ତର୍ଜାତିକ କ୍ରିକେଟ୍ରେ 76 ଶତକ ସହାୟତାରେ 25,000ରୁ ଅଧିକ ରନ୍ ସଂଗ୍ରହ ଓ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ସବୁ ଫର୍ମାଟ୍ରେ ଟିମ୍ର ନେତୃତ୍ୱ ଗ୍ରହଣ ଭଳି ଅନେକ ଉପଲବ୍ଧି ହାସଲ କରିଛନ୍ତି ବିରାଟ । ଅଧିନାୟକ ଥିବାବେଳେ ସେ ଟିମ୍କୁ କୌଣସି ଫର୍ମାଟ୍ରେ ବିଶ୍ୱକପ୍ ଜିତାଇପାରି ନ ଥିଲେ ବି ଦ୍ୱିପାକ୍ଷିକ ସିରିଜ୍ରେ ଅନେକ ସଫଳତା ଦେଇଛନ୍ତି ।
ବିରାଟ ନିଜର ଦୀର୍ଘ କ୍ୟାରିଅର୍ରେ ଅନେକ ସଫଳତା ପାଇସାରିଲେଣି କିନ୍ତୁ ଜଣେ ବ୍ୟାଟର ହିସାବରେ କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ 100 ଆନ୍ତର୍ଜାତିକ ଶତକ ରେକର୍ଡକୁ ଅତିକ୍ରମ କରିବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ଅପେକ୍ଷା କରିଛନ୍ତି | ବିରାଟ ଆନ୍ତର୍ଜାତିକ କ୍ରିକେଟ୍ରେ ଏପର୍ଯ୍ୟନ୍ତ 111ଟି ଟେଷ୍ଟ ମ୍ୟାଚ୍ ଖେଳି 8678 ରନ୍, 275ଟି ଦିନିକିଆ ଖେଳି 12898 ଓ 115 ଟି-20 ଖେଳି 4008 ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟରେ ସେ 29, ଦିନିକିଆରେ 46 ଓ ଟି-୨୦ରେ ଗୋଟିଏ ଶତକ ଲଗାଇଛନ୍ତି । ସଚିନଙ୍କ ଠାରୁ24ଟି ଶତକ ଦୂରରେ ଅଛନ୍ତି ବିରାଟ ।
ଯଦିଓ ଅଧିନାୟକ ଥିବାବେଳେ ସେ ଟିମ୍ ଇଣ୍ଡିଆକୁ କୌଣସି ଫର୍ମାଟ୍ରେ ବିଶ୍ୱକପ୍ ଜିତାଇପାରି ନ ଥିଲେ କିମ୍ବା ଆଇପିଏଲରେ ଦୀର୍ଘ ବର୍ଷ ଅଧିନାୟକ ଥିଲାବେଳେ ମଧ୍ୟ ଆରସିବି କୌଣସି ସଂସ୍କରଣରେ ଟ୍ରଫି ଜିତିପାରିନଥିଲା ତଥାପି ବିରାଟ ଜଣେ ସଫଳ ଅଧିନାୟକ |
ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଦିନିକିଆରେ ତିନି ଥର 5-0ରେ ସିରିଜ୍ ଜିତିଛି । ଟେଷ୍ଟ ଇତିହାସରେ ସେ ଭାରତର ସବୁଠାରୁ ସଫଳ ଅଧିନାୟକ । ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ 68ରୁ 40 ମ୍ୟାଚ୍ ଜିତିଥିବା ବେଳେ 17 ମ୍ୟାଚ୍ ହାରିଥିଲା ଓ 11 ମ୍ୟାଚ୍ ଡ୍ର’ ରହିଥିଲା ।
ଟେଷ୍ଟ୍ ହେଉ କି ଦିନିକିଆ ଆନ୍ତର୍ଜାତିକ - ବିରାଟ କୋହଲିଙ୍କ ବିନା ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ହୋଇପାରେ ନାହିଁ । ସେ ଅନେକ ବର୍ଷ ହେଲା ଟିମ୍ର ଅଭିନ୍ନ ଅଙ୍ଗ ରହିଆସିଛନ୍ତି । ସେ ଫର୍ମରେ ଥାଆନ୍ତୁ ବା ନ ଥାଆନ୍ତୁ, ଜଣେ ଅଭିଜ୍ଞ ତଥା ଫିଟ୍ ଖେଳାଳି ଭାବେ ଟିମ୍ରେ ତାଙ୍କ ଉପସ୍ଥିତି ଅପରିହାର୍ଯ୍ୟ ହୋଇଯାଇଛି ।
ଫିଟ୍ ଥିବା ସତ୍ତ୍ୱେ ଧୋନୀଙ୍କୁ ଆନ୍ତର୍ଜାତିକ କ୍ରିକେଟ୍ ଛାଡ଼ିବାକୁ ପଡ଼ିଲା। ବିରାଟଙ୍କୁ ମଧ୍ୟ ବହୁ ସମୟରେ ଫର୍ମ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ତେଣୁ ଭାରତରେ ହେବାକୁ ଥିବା ୨୦୨୩ ସଂସ୍କରଣ ତାଙ୍କ ପାଇଁ ଶେଷ ଦିନିକିଆ ବିଶ୍ୱକପ୍ ହୋଇପାରେ।