ଫୁଲବାଣୀ: ଯେଉଁ ଘର ବାପା ବୋଉ ଡାକରେ କମ୍ପି ଉଠିଥାଆନ୍ତା ସେ ଘର ଯେମିତି ଖାଲି ଖାଲି ଲାଗୁଛି । ଯେଉଁ କୁନି କୁନି ପାଦରେ ଖେଳିଥାନ୍ତା ବୁଲିଥାନ୍ତା ସେ ବୟସରେ ବିଛଣାରେ ଦିନ କଟୁଛି । ଜୀବନ କଣ ବୁଝିବା ପୂର୍ବରୁ ରୋଗାଗ୍ରସ୍ତ ହୋଇଯାଇଛି ଶୈଶବ । ନିଜର କୁନି ପୁଅଟିକୁ ଏମିତି ଅବସ୍ଥାରେ ଦେଖି ଗୁମୁରି ଗୁମୁରି କାନ୍ଦୁଛି ମାଆ । ଆଉ ସେପଟେ ପୁଅକୁ ଭଲ କରିବାକୁ ଉପାୟ ଶୂନ୍ୟ ହୋଇପଡ଼ିଛନ୍ତି ଦିନ ମଜୁରିଆ ବାପା । କାରଣ ଏମାନଙ୍କ ପାଖରେ ଅପହଞ୍ଚ ହୋଉ ରହିଯାଇଛି ସରକାରୀ ଯୋଜନା । ଅର୍ଥ ଅଭାବରୁ ପୁଅ ଚିକିସ୍ଚା ହୋଇ ପାରୁ ନ ଥିବାରୁ ସାହାଯ୍ୟ କରିବାକୁ ଗୁହାରୀ କରୁଛନ୍ତି ବାପା ମାଅ । ଆମେ କହୁଛୁ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନ୍.ଏ.ସି ଅଞ୍ଚଳରେ ରହୁଥିବା ପୃଥିବୀରାଜ ପାତ୍ରଙ୍କ କଥା ।
ବାଲିଗୁଡା ଏନ୍.ଏ.ସି ର ୬ ନମ୍ବର ୱାର୍ଡ଼ର ନୂଆସାହିରେ ରହୁଥିବା ପୃଥିବୀରାଜ ପାତ୍ର ଓ ମିନାକ୍ଷୀ ପାତ୍ରଙ୍କ ୪ ବର୍ଷର ଶିଶପୁତ୍ର ଅବନୀ କୁମାର ପାତ୍ର ଦୀର୍ଘ ଚାରିବର୍ଷ ହେବ ଶଯ୍ୟା ଶାୟୀ । ମାନସିକ ରୋଗରେ ପୀଡ଼ିତ ହୋଇ ଦୁନିଆ କଣ ଜାଣି ପାରୁନି ଏହି ପୁଅ । ଖେଳିବା ବୁଲିବା ତ ଦୂରର କଥା, ଲିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି, ଶିଶୁଟି କଥା ବି କହି ପାରୁନି । ପୁଅର ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରୁ ଆରମ୍ଭ କରି ଫୁଲବାଣୀ, ବ୍ରହ୍ମପୁର, କଟକ, ଭୁବନେଶ୍ଵର ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଲେଣି ବାପା ମା । କିନ୍ତୁ ରୋଗରୁ ମୁକ୍ତ ହୋଇ ପାରୁନି ପୁଅ । ବଡ଼ ମେଡିକାଲରେ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ହେଲେ ଅର୍ଥ ଅଭାବରୁ ବଡ ମେଡିକାଲକୁ ଯିବା ଅସମ୍ଭବ ହୋଇପଡିଛି l ପୃଥିବୀରାଜ ପାତ୍ର ଜଣେ ଗରିବ ଦିନ ମଜୁରୀଆ । ପିଲା ଟିକୁ ଛାଡି ବାପା ମାଆ କାମ ଧନ୍ଦାକୁ ମଧ୍ୟ ଯାଇ ପାରୁ ନାହାନ୍ତି । ବୟସ ବଢି ବଢି ଯାଉଥିଲେ ମଧ୍ୟ ରୋଗ ଭଲ ନ ହେବାରୁ ଶିଶୁଟିର ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇ ଯାଇଛି ବୋଲି ତାଙ୍କ ମାଆ ମିନାକ୍ଷୀ କହିଛନ୍ତି ।
ସରକାରଙ୍କ ତରଫରୁ ସାହାଯ୍ୟ ତ ମିଳିବା ଦୂରର କଥା ରାସନ୍ କାର୍ଡ ଖଣ୍ଡିଏ ମଧ୍ୟ ପାଇ ନାହାନ୍ତି l ରାସନ୍ କାର୍ଡ ନଥିବାରୁ ସ୍ୱାସ୍ଥ୍ୟବୀମା କାର୍ଡ ମଧ୍ୟ ମିଳିନାହିଁ । ଫଳରେ ଚିକିତ୍ସା ପାଇଁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ପୂର୍ବ ସରକାର ଥିବା ସମୟରେ ଉପଖଣ୍ଡ ପ୍ରଶାସନିକ ଅଧିକାରୀ, ଏନ୍ ଏ ସି ପ୍ରଶାସନ, ରାଜନେତା, ବାଲିଗୁଡ଼ା ବିଧାୟକ, ଜିଲ୍ଲା ପ୍ରଶାସନଙ୍କୁ ବହୁବାର ଗୁହାରି କରିଥିଲେ ମଧ୍ୟ କେହି ବି ଗୁହାରି ଶୁଣି ନ ଥିଲେ l ନୂଆ ସରକାର ତାଙ୍କ ଦୁଃଖ ବୁଝିବେ ବୋଲି ଆଶା ବାନ୍ଧି ବସିଛି ପରିବାର । ଯଦି ସରକାରୀ ସାହାଯ୍ୟ ମିଳେ ତେବେ ତାଙ୍କ ପୁଅର ଭଲ ଭାବରେ ଚିକିତ୍ସା ହୋଇପାରିବ ଏବଂ ସେ ଭଲ ହୋଇଯିବ ବୋଲି ବାପା ମାଆ କହିଛନ୍ତି ।